ଶ୍ରୀକ୍ଷେତ୍ରରେ ହେବ ଏୟାରପୋର୍ଟ, ଆରମ୍ଭ ହେଲା ସର୍ଭେ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀକ୍ଷେତ୍ର ପୁରୀରେ ପ୍ରତିଷ୍ଠା ହେବ ବିମାନବନ୍ଦର। ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମ୍‌ ଶ୍ରୀକ୍ଷେତ୍ର ଯାଇଛି। ଏହି ଟିମ୍‌ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍‌ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି। ପୁରୀରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ ରାଜ୍ୟ ସରକାର କେନ୍ଦ୍ର ଆଗରେ ଦାବି କରିଥିଲେ। ଉଭୟ ଆଧାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଏୟାରପୋର୍ଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଥିଲା। ଆଜି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଟିମ୍‌ ଜମି ଦେଖିବା ପରେ ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଏହି ସମୟରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସୂଚନାରୁ ପ୍ରକାଶ, ବିଶ୍ୱମାନଚିତ୍ରରେ ସ୍ଥାନ ପାଇଁ ଶ୍ରୀକ୍ଷେତ୍ର। ପ୍ରତିଦିନ ହଜାର ହଜାର ଭକ୍ତ ଦେଶ ଓ ବିଦେଶରୁ ଶ୍ରୀକ୍ଷେତ୍ର ଆସୁଛନ୍ତି। ସେଥିପାଇଁ ଏହି କ୍ଷେତ୍ରର ବିକାଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ସୌନ୍ଦର୍ଯ୍ୟ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। 

Leave a Reply

Your email address will not be published. Required fields are marked *