ଦେଶରେ ହ୍ରାସ ପାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତାଳ ଦେଇ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବା ଆପ୍ରୁଭାଲ ପଏଣ୍ଟ ମଧ୍ୟ ଖସିବାରେ ଲାଗିଛି। ବର୍ଷକ ମଧ୍ୟରେ ମୋଦିଙ୍କ ଆପ୍ରୁଭାଲ ୨୦ ପଏଣ୍ଟ ହ୍ରାସ ପାଇଥିବା ଆମେରିକାର ଗୋଟିଏ ସର୍ଭେ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି। ୨୦୧୯ ଅଗଷ୍ଟରେ ଯେତେବେଳେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କଲେ ସେତେବେଳେ ମୋଦିଙ୍କ ଲୋକପ୍ରିୟତା ୮୨% ଥିଲା। କିନ୍ତୁ ଏବେ ଏହା ୬୬%କୁ ଖସି ଆସିଛି। ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି। ମୋଦିଙ୍କ ଲୋକପ୍ରିୟତା ୬୬%କୁ ଖସିଥିଲେ ହେଁ ବିଶ୍ୱର ଅନ୍ୟ ୧୩ ଶକ୍ତିଶାଳୀ ରାଷ୍ଟ୍ରର ମୁଖିଆଙ୍କ ତୁଳନାରେ ଏହା ସର୍ବାଧିକ। ଆମେରିକା, ରୁଷ, ବ୍ରିଟେନ ଓ ଅଷ୍ଟ୍ରେଲିଆ ଓ କାନାଡାର ମୁଖିଆଙ୍କ ତୁଳନାରେ ମୋଦିଙ୍କ ରେଟିଂ ପଏଣ୍ଟ ଅଧିକ ରହିଛି। ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେ ବେଳେ ଭାରତର ବିଭିନ୍ନ ପ୍ରାନ୍ତରେ ରହୁଥିବା ୨,୧୨୬ ଜଣଙ୍କ ମତାମତ ନିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୬୬% ମୋଦିଙ୍କୁ ପସନ୍ଦ କରିଥିବା ବେଳେ ୨୮% ଲୋକ ତାଙ୍କ ବିପକ୍ଷରେ ମତ ଦେଇଛନ୍ତି। ୨୦୧୯ ଅଗଷ୍ଟରେ ମୋଦିଙ୍କ ସପକ୍ଷରେ ୮୨% ଓ ବିପକ୍ଷରେ ୧୧% ଲୋକ ମତ ଦେଇଥିଲେ। ମୋଦିଙ୍କ ବ୍ୟତୀତ ଅନ୍ୟ ରାଷ୍ଟ୍ରର ମୁଖିଆମାନଙ୍କ ରେଟିଂ ପଏଣ୍ଟ ସଂସ୍ଥା ଜାରି କରିଛି। କମ୍ପାନୀ ଜାରି କରିଥିବା ତାଲିକା ଅନୁଯାୟୀ ମୋଦିଙ୍କ ଲୋକପ୍ରିୟତା ୬୬% ଥିବା ବେଳେ ଜର୍ମାନୀର ଆଞ୍ଜେଲା ମୋର୍କେଲ ୫୩%, ଆମେରିକାର ଜୋ ବାଇଡେନ ୫୩%, କାନାଡାର ଜଷ୍ଟିନ ଟ୍ରୁଡୋ ୪୮%, ବ୍ରିଟେନର ବୋରିସ ଜନସନ ୪୪%, ଦକ୍ଷିଣ କୋରିଆର ମୁନ୍-ଜାଇ-ଇନ ୩୭%, ସ୍ପେନର ପେଡ୍ରୋ ସାଞ୍ଚେଜ ୩୬%, ବ୍ରାଜିଲର ଜାଇର ବୋଲସୋନାରୋ ୩୫%, ଫ୍ରାନ୍ସର ଇମାନ୍ୟୁଏଲ ମାର୍କନ ୩୫%, ଜପାନର ୟୌଶିହିଡେ ସୁଗା ୨୯%, ଇଟାଲୀର ମାରିଓ ଡ୍ରଘି ୬୫%, ମେକ୍ସିର ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋର ୬୩% ଓ ଅଷ୍ଟ୍ରେଲିଆର ସ୍କଟ ମୋରିସନ ୫୪% ଲୋକପ୍ରିୟତା ହାସଲ କରିଛନ୍ତି। ମହାମାରୀ କରୋନାକୁ ମୁକିବିଲା କରିବାରେ ମୋଦି ସରକାର ଫେଲ ହୋଇଥିବା ଲୋକମାନେ କହୁଛନ୍ତି। କରୋନା ବ୍ୟାପିଥିଲେ ହେଁ ବିଭନ୍ନ ସ୍ଥାନରେ ହସ୍ପିଟାଲରେ ବେଡ୍‌ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି। ଏହବାଦ୍‌ ନଦୀରେ ଶହଶହ ଶବ ଭାସି ଘଟଣାର କୁପ୍ରଭାବ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଉପରେ ପଡ଼ିଥିବା ଆଶଙ୍କା କରାଯାଉଛି। ଏହାପୂର୍ବରୁ YouGov ପକ୍ଷରୁ ସହରାଞ୍ଚଳରେ ମୋଦିଙ୍କ ଲୋକପ୍ରିୟତା ଜାଣିବାକୁ ସର୍ଭେ କରାଯାଇଥିଲା। ସର୍ଭେରୁ ଜଣାପଡ଼ିଥିଲା ଯେ ମହାମାରୀକୁ ମୁକାବିଲା କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଲୋକମାନେ କହିଛନ୍ତି। ବିଶେଷ କରି ଫେବୃଆରୀ ମାସ ଠାରୁ ମୋଦି ସରକାର ଉପରେ ଲୋକମାନେ ନିଜର ଆସ୍ଥା ହରାଇବା ଆରମ୍ଭ କରିଛନ୍ତି। ଏପ୍ରିଲ ଶେଷ ସୁଦ୍ଧା କେବଳ ୫୯% ଲୋକ ସରକାର ମହାମାରୀ କରୋନାକୁ ଠିକ ଭାବେ ମୁକାବିଲା କରିବାକୁ ସକ୍ଷମ ହେଉଥିବା କହିଛନ୍ତି। ପ୍ରଥମ ୱେଭ ବେଳେ ୮୯% ଲୋକ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସମର୍ଥନ କରିଥିଲେ। ତେଣୁ କରୋନା ମାମଲା ବଢ଼ିବା ସହ ମୋଦିଙ୍କ ଲୋକପ୍ରିୟତା କମିବା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *