କାଶିପୁରରେ ମମତା ଯୋଜନା ସମୀକ୍ଷା ବୈଠକ ..!
!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- କାଶିପୁରର ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯୟାଳୟରେ ଆଜି ଏକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସରଣରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱଳ୍ପ ସମୟର ବୈଠକରେ ଡେପ୍ୟୁଟି କଲେକ୍ଟର୍ ତଥା ଭାରାପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡ଼ିଆ, ମମତା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଜିତେନ୍ଦ୍ର କୁମାର ମହାପାତ୍ର ଏବଂ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୌଦାମିନୀ ପାତ୍ର ଯୋଗ ଦେଇଥିଲେ । କାଶିପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ସମସ୍ତ ସେକ୍ଟରର ମମତା ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରକଳ୍ପ ଅଞ୍ଚଳକୁ ଫେରିଥିବା ପ୍ରବାସୀ ଗର୍ଭବତୀ ମହିଳାଙ୍କ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ମମତା ହିତାଧିକାରୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ସୁଶ୍ରୀ ଝୋଡ଼ିଆ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପର କୁଚେଇପଦର, ଶଙ୍କରଡ଼ା, ସୁଙ୍ଗେର୍ ଆଦି ସେକ୍ଟର ସମୂହର ଅଗ୍ରଗତି ନିମ୍ନସ୍ତରରେ ଥିବା ଏବଂ ଆଗାମୀ ସାତଦିନ ମଧ୍ୟରେ ଯୁଦ୍ଧକାଳିନ ଭାବରେ ମମତା ହିତାଧିକାରୀଙ୍କ ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀ ମହାପାତ୍ର କହିଥିଲେ ।

କରୋନା ମହାମାରୀ ସମୟରେ ନିଜର ପିତାମାତାଙ୍କୁ ହରାଇଥିବା ତଥା ଯତ୍ନ ଓ ସୁରକ୍ଷା ଲୋଡ଼ା କରୁଥିବା ଶିଶୁମାନଙ୍କ ସଠିକ୍ ଥଇଥାନ ପାଇଁ ପଦକ୍ଷେପ ନେବାକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ପାତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଗତ ଦିନରେ ବଢ଼ି ଚାଲିଥିବା ବାଲ୍ୟବିବାହକୁ ରୋକିବା ଦିଗରେ ପୋଲିସ, ୧୦୯୮-ଚାଇଲ୍ଡ୍ ଲାଇନ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତା ନେବା ତଥା ତୃଣମୂଳ ସ୍ତରରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଅଙ୍ଗନବାଡ଼ି କେନ୍ଦ୍ର ତରଫରୁ ଦିଆଯାଉଥିବା ଶୁଖିଲା ଖାଦ୍ୟ ସାମଗ୍ରୀ, ନୂତନ ଭାବରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱୟଂସହାୟୀକା ଗୋଷ୍ଠୀମାନଙ୍କ ଦ୍ୱାରା କରାଯାଉଥିବା ମାସ୍କ୍ ପ୍ରସ୍ତୁତି, ଖାଦ୍ୟ ବଣ୍ଟନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ଅଧିନରେ ଖାଲି ଥିବା ବିଭିନ୍ନ ପଦବୀ ପୂରଣ ସମ୍ପର୍କୀତ ଅନେକ ତଥ୍ୟକୁ ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା । ପ୍ରକଳ୍ପର ସମସ୍ତ କାର୍ଯ୍ୟରତ ସେକ୍ଟର ସୁପରଭାଇଜର ମାନେ ଉପସ୍ଥିତ ଥିଲେ । ମମତା ଯୋଜନାର ପ୍ରକଳ୍ପ ସହାୟକ ଶ୍ରୀ ବିଭୁଦତ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

