ତୈଳ ଦରକୁ ନେଇ ଏନଡିଏରେ ଆରମ୍ଭ ହେଲା ମତଭେଦ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି। ଏବେ ଏହି ଦର ବୃଦ୍ଧିକୁ ନେଇ ଖୋଦ ବିଜେପି ନେତ୍ୱାଧୀନ ଏନଡିଏ ଭିତରୁ ବିରୋଧର ସ୍ୱର ଉଠିବା ଆରମ୍ଭ ହୋଇଛି। ବିଜେପିର ସହଯୋଗୀ ଜେଡିୟୁ କହିଛି, ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟ ଏବେ କଷ୍ଟ ଦେବା ଆରମ୍ଭ କଲାଣି। ଭାରତ ସରକାର ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ। ବର୍ଦ୍ଧିତ ଦରକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସଫେଇ ଦେଇ କହିଥିଲେ ଯେ ମହାମାରୀ ସମୟରେ ସରକାର ଟିକାକରଣ ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏଥିସହ ଏକାଧିକ ସାମାଜିକ କଲ୍ୟାଣ ଯୋଜନା ପାଇଁ ଅତିରିକ୍ତ ପାଣ୍ଠିର ଆବଶ୍ୟକ ରହିଛି। ଏହି କାରଣ ପାଇଁ ତୈଳଦର ବୃଦ୍ଧି ପାଇଥିବା ସେ ପରୋକ୍ଷରେ କହିଥିଲେ। କିନ୍ତୁ ଜେଡିୟୁ କହିଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ତୈଳଦର ଉପରେ ଲାଗିଥିବା ଟିକସ ହ୍ରାସ କରନ୍ତୁ। ଜେଡିୟୁ ମୁଖ୍ୟ ମହାସଚିବ କେସି ତ୍ୟାଗୀ କହିଛନ୍ତି, ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଆମକୁ ଯନ୍ତ୍ରଣା ଦେବାରେ ଲାଗିଲାଣି। ତେଣୁ ଭାରତ ସରକାର ତୈଳଦର ବୃଦ୍ଧି ଉପରେ ତତ୍କାଳ ରୋକ ଲଗାଇବା ଉଚିତ। ପେଟ୍ରୋଲ-ଡିଜେଲ ଦର ଉପରେ ସରକାରୀ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାର ଏଭଳି ଏକ ମେକାନିଜମ ଆଣନ୍ତୁ, ଯାହାଦ୍ୱାରା ପେଟ୍ରୋଲ ଓ ଡିଜେଲର ମୂଲ୍ୟ ନିର୍ଦ୍ଧାରଣ ଆଉ ବଜାର ହାତରେ ରହିବନି। ପେଟ୍ରୋଲିୟମ ଉତ୍ପାଦ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ କରିବା ଉଚିତ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *