ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ସହଯୋଗୀ ଦଳଙ୍କ ସହ ମୁଖ୍ୟମନ୍ତ୍ରୀ ପଦ ଶେୟାର କରିବେ କି ଉଦ୍ଧବ ଠାକରେ? ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା, ତା’ର ଜବାବ ଶିବସେନା ରଖିଛି। ଶିବସେନାର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମୁଖ୍ୟମନ୍ତ୍ରୀ ପଦ ଶେୟାର ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତା’ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆଗାମୀ ୫ ବର୍ଷ ଯାଏ ଶିବସେନା କୌଣସି ପ୍ରକାରର ମୁଖ୍ୟମନ୍ତ୍ରୀ ପଦ ସହଯୋଗୀ ଦଳ ସହ ଶେୟାର କରିବ ନାହିଁ ବୋଲି ସେ ସ୍ପଟ କରିଛନ୍ତି। ସେ ଶିବସେନାର ମୁଖପତ୍ର ସାମନାରେ ପ୍ରକାଶ ପାଉଥିବା ସାପ୍ତାହିକ ସ୍ତମ୍ଭ ରୋକଠୋକରେ ଏକଥା କହିଛନ୍ତି। ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡ଼ି ଦଳରେ ଥିବା ଏନସିପି କିମ୍ବା କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ପ୍ରଶ୍ନ ଉଠାଇ ନଥିବା ବେଳେ ହଠାତ୍ ଶିବସେନା ପକ୍ଷରୁ ଏପରି କଥା କୁହାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗଣମାଧ୍ୟମରେ ସମସ୍ତେ ଚୁପ୍ ରହୁଥିବା ବେଳେ ସରକାରୀ ସ୍ତରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୋଧେ ଅଙ୍କକଷା ଚାଲିଥିବାରୁ ସଞ୍ଜୟ ରାଉତ ଏପରି ବୟାନ ଦେଇଥିବା ଆକଳନ କରାଯାଉଛି। ସଞ୍ଜୟ ରାଉତ ନିଜର ସ୍ତମ୍ଭ ଉପରେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ପଦକୁ ନେଇ କିଛି ଲୋକ ଦ୍ୱନ୍ଦ୍ୱ ଓ ଆକଳନ ସୃଷ୍ଟି କରିବାରେ ଲାଗିଛନ୍ତି। ଏହାକୁ ଦୂର କରିବା ପାଇଁ ମୁଁ ଏପରି ସ୍ପଷ୍ଟୀକରଣ ଦେଇଛି। ମୁଖ୍ୟମନ୍ତ୍ରୀ ପଦ ୫ ବର୍ଷ ପାଇଁ ଶିବସେନା ପାଖରେ ରହିବ। ଏକଥା ସରକାରରେ ଥିବା ଏନସିପି ଓ କଂଗ୍ରେସ ମଧ୍ୟ ଭଲ ଭାବେ ଜାଣିଛନ୍ତି। ମହାବିକାଶ ଅଘାଡ଼ି ସରକାର ଗଠନ ବେଳେ ମୁଁ ରହିଥିଲି। ଏହି ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦର ଶେୟାରକୁ ନେଇ କୌଣସି ପ୍ରକାରର ଆଲୋଚନା ହୋଇ ନଥିଲା। କିଛି ଲୋକ କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଏପରି ବୟାନ ଦେଉଛନ୍ତି।”