ସରକାର ଦୁଇ ବର୍ଷ ପୂରଣ କରିବ ତ..? ମହାବିକାଶ ଅଘାଡିରେ ‘ମହାଯୁଦ୍ଧ’…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାରର ନେତୃତ୍ୱ ନେଉଛି ଶିବସେନା। ଶିବସେନାର କୁହାଳିଆ ନେତା ସଞ୍ଜୟ ରାଉତ ‘ସାମ୍ନା’ ଜରିଆରେ କହିଛନ୍ତି ଶିବସେନା ମୁଖ୍ୟମନ୍ତ୍ରୀ ଆସନ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିଜ ପାଖରେ ରଖିବ। ଆଉ କାହାକୁ ଏହି ପଦବୀ ଦେବନି। ଠିକ୍ ଏହାପରେ ପରେ ସରକାରର ସହଯୋଗୀ ଦଳ କଂଗ୍ରେସର ପିସିସି ସଭାପତି ତଥା ପୂର୍ବତନ ବାଚସ୍ପତି ନାନା ପାଟୋଲେ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ। ଅପେକ୍ଷା ଗାନ୍ଧୀ ପରିବାରର ଇସାରାକୁ। ଅର୍ଥାତ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶକୁ। ନିକଟରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଅମିତ ଶାହଙ୍କୁ ପ୍ରଶଂସା କରିବା ପରେ ପରେ ଏହି ସବୁ ରାଜନୀତିକ ବୟାନବାଜି ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି। ୨୬ ନଭେମ୍ୱର ୨୦୨୨ରେ ମହା ବିକାଶ ଅଘାଡି (ଶିବସେନା-ଏନସିପି-କଂଗ୍ରେସ) ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି। ହେଲେ ଏହା ପୂର୍ବରୁ ଶିବସେନା-କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୀତିକ ବାକଯୁଦ୍ଧ ସରକାରର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।

ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ – (ନାନା ପାଟୋଲେ)- କଂଗ୍ରେସ ବିଧାୟକ ନାନା ପାଟୋଲେ କହିଛନ୍ତି, ସେ ଜାଣେ ଚାଷୀର ପୁଅ। ତେଣୁ ତାଙ୍କ ଅଞ୍ଚଳର ଲୋକ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି। ଅପେକ୍ଷା ଦଳର ଶୀର୍ଷ ନେତାଙ୍କ ନିର୍ଦ୍ଦେଶକୁ। ବିଦର୍ଭ ଏରିଆକୁ ଯାଇ ବିଭିନ୍ନ ବୈଠକ କରୁଥିବା ସମୟରେ ନାନା ପାଟୋଲଙ୍କ ଏହି ମନ୍ତବ୍ୟ ସୋଶାଲ ମିଡିଆରେ ବିତର୍କ ସୃଷ୍ଟି କରିଛି। ସେ କହିଛନ୍ତି ଆଗାମୀ ଦିନରେ ତାଙ୍କ ଦଳ ଉଭୟ ସ୍ଥାନୀୟ ଏବଂ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ। ମେଣ୍ଟ କରିବାର କୌଣସି ସମ୍ଭାବନା ନାହିଁ।

ଶିବସେନା-କଂଗ୍ରେସ କଳି – ଏହାପୂର୍ବରୁ ମେ ଶେଷ ସପ୍ତାହରେ ପଦୋନ୍ନତିରେ ସଂରକ୍ଷଣ ଉପରେ ରୋକ୍ ଏବଂ ନାନୋର ତୈଳ ବିଶୋଧନାଗାରର ପ୍ରକଳ୍ପକୁ ଅଟକାଇବା ନେଇ ଶିବସେନା ଏବଂ କଂଗ୍ରେସ ନେତା ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ କଂଗ୍ରେସ ଏନସିପି ସହ କଥାବାର୍ତ୍ତା କରିବା ପରେ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବ ବୋଲି ଧମକ ଦେଇଥିଲା। ଏହାପରେ ଏନସିପି ସଭାପତି ଶରଦ ପାଓ୍ୱାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ପାୱାର ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଧରି ଏହି ବୈଠକ ହୋଇଥିବା କୁହାଯାଉଛି। ଏହି ସମୟ ମଧ୍ୟରେ ଉଦ୍ଧବ ଠାକରେଙ୍କ ଉପରେ ପାୱାର ଅସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ରହିଛି। କୁହାଯାଉଛି ଉଦ୍ଧବ ପାୱାରଙ୍କୁ କହିଛନ୍ତି ଯେ ଏନସିପିର ସହଯୋଗ କ୍ରମେ ଏହି ସରକାର ଗଠନ ହୋଇଛି। ତେଣୁ ସରକାର ଚଳାଇବା କେବଳ ଶିବସେନାର ଦାୟିତ୍ୱ ନୁହେଁ।

ଶରଦ ପାଓ୍ୱାର-ପ୍ରଶାନ୍ତ କିଶୋର ଭେଟଘାଟ – ଜୁନ୍ ୧୧ରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ରାଜାନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଭେଟିଥିଲେ। ଯଦିଓ ଏହି ବୈଠକ ବାବଦରେ ଦୁଇ ନେତା କିଛି ବି ମତ ରଖିନାହାନ୍ତି ହେଲେ ଏହା ୨୦୨୪ ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ହୋଇଥିବା କୁହାଯାଉଛି। ଅନ୍ୟପଟେ ବିଭିନ୍ନ ରାଜନୀତିକ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ପାଓ୍ୱାର ମଧ୍ୟ ପାଖରେ ରଖିବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ଯଦି ରାଜ୍ୟରେ ମେଣ୍ଟ ସରକାର ଭାଙ୍ଗିଯାଏ ତାହେଲେ ପ୍ରଶାନ୍ତ କିଶୋର ଓ ପାଓ୍ୱାର ଏକାଠି ହୋଇ ଏନସିପି ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି। ପାଓ୍ୱାର ଓ ପ୍ରଶାନ୍ତଙ୍କ ଏହି ବୈଠକ ସଞ୍ଜୟ ରାଉତ ମୋଦିଙ୍କୁ ପ୍ରଶଂସା କରିବା ପରେ ହୋଇଥିଲା।

Leave a Reply

Your email address will not be published. Required fields are marked *