!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବ୍ରହ୍ମପୁର) – ଜନସ୍ବାସ୍ଥ୍ୟ ବିଭାଗର ଅପରାଗତା ଯୋଗୁ ବ୍ରହ୍ମପୁର ସହରରେ ପାନୀୟ ଜଳ ଯୋଗାଣ ଏକ ପ୍ରକାର ବାଟମଣା ହୋଇଛି । ସହରର ବିଭିନ୍ନ ସ୍ଥାନରେ ପାଇପ୍ଗୁଡ଼ିକ ଫାଟି ଗଲାଣି । ସେଗୁଡ଼ିକ ମରାମତି କରାଯାଉ ନ ଥିବା ଯୋଗୁ ପିଇବା ପାଣି ନଷ୍ଟ ହେଉଛି । ଗୋଟିଏ ପଟେ ଲୋକଙ୍କୁ ପିଇବାକୁ ପାଣି ମିଳୁନଥିବା ବେଳେ ଅପରକ୍ଷେ ଶହ ଶହ ଲିଟର ପାଣି ନିୟମିତ ନାଳରେ ଚାଲିଯାଉଛି । ବ୍ରହ୍ମପୁର ମହାନଗର ନିଗମର ୪ ନମ୍ବର ୱାର୍ଡର ବ୍ରଜରାଜ ନଗର ପ୍ରଥମ ଲେନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଷ୍ଟାଣ୍ଡପୋଷ୍ଟ ଭାଙ୍ଗି ଯାଇଥିଲେ ମଧ୍ୟ ମରାମତି କରାଯାଉ ନାହିଁ । ସାହିବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ସାହିରେ ବିଭିନ୍ନ କମ୍ପାନିର ଗୋଦାମ ରହିଛି । ସବୁଦିନ ବଡ଼ ବଡ଼ ଟ୍ରକରେ ଏହି ଗୋଦାମକୁ ସାମଗ୍ରୀ ଆସିଥାଏ । ତେବେ ଅଧିକାଂଶ ସମୟ ଟ୍ରକଗୁଡ଼ିକ ଧକ୍କାରେ ଅନେକ ନଷ୍ଟ ହୁଏ । ସାହିରେ ଥିବା ଏକମାତ୍ର ଷ୍ଟାଣ୍ଡପୋଷ୍ଟଟି ଟ୍ରକ ଧକ୍କାରେ ଭାଙ୍ଗି ଯାଇଛି । ସବୁବେଳେ ପାଣି ବୋହି ଚାଲିଛି । ରାସ୍ତାରେ ପିଇବା ପାଣି ଭାସୁଛି । ଯେଉଁମାନେ ଘରକୁ ସଂଯୋଗ ନେଇଛନ୍ତି ସେମାନଙ୍କ ଘରକୁ ପାଣି ଯାଉନି । ଗୋଟିଏ ପଟେ ପିଇବା ପାଇଁ ପାଣି ମିଳୁନି । କିନ୍ତୁ ଏଠି ନଷ୍ଟ ହେଉଛି । ଏନେଇ ସାହିବାସୀଙ୍କ ତରଫରୁ ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରାଯାଇଛି । ହେଲେ ବିଭାଗୀୟ ଅଧିକାରୀମାନେ ଷ୍ଟାଣ୍ଡପୋଷ୍ଟ ମରାମତି ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି । ନିୟମିତ ପାଣି ନଷ୍ଟ ଏବଂ ଲୋକଙ୍କୁ ପିଇବାକୁ ପାଣି ମିଳୁନଥିବା ଯୋଗୁ ଷ୍ଟାଣ୍ଡପୋଷ୍ଟର ମରାମତି ପାଇଁ ସାହିବାସୀ ଦାବି କରିଛନ୍ତି ।