!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ କୁ ସଫା ରଖିବା ପାଇଁ ଠିକା ସଂସ୍ଥା ମାଧ୍ୟମରେ ସଫେଇ କର୍ମଚାରୀ ନିଯୁକ୍ତି କରାଯାଉଛି । କିନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହି ଟଙ୍କା କୁ ଠିକା ସଂସ୍ଥା ମାଧ୍ୟମରେ ହରିଲୁଟ କରାଯାଉଥିବାର ଏବେ ସାମ୍ନାକୁ ଆସିଛି । ତେବେ ଏହି ଠିକା ସଂସ୍ଥା ସଫେଇ ନାମରେ ସରକାରୀ ଟଙ୍କା ହରିଲୁଟ କରୁଥିବାର ସୂଚନା ତଥ୍ୟ ଆଇନ ବଳରେ ଜଣାପଡିଛି । ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳରେ ସଫେଇ କାର୍ଯ୍ୟ କରିବା ପାଇଁ ସଂପୃକ୍ତ ଠିକା ସଂସ୍ଥା ଖଲ୍ଲିକୋଟ ଅଞ୍ଚଳର ହରିଜନ ଜାତିର କିଛି ପୁରୁଷ ଓ ମହିଳାଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ଦରମା ହାରାହାରି ୭୫୦୦ ଟଙ୍କା ରହିଛି । ତେବେ ସୂଚନା ତଥ୍ୟ ଅଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ସଫେଇ କର୍ମଚାରୀ ଭାବେ କିଛି ହରିଜନ ଲୋକଙ୍କ ସହ ଖଲ୍ଲିକୋଟ କିଛି ବଡ ବଡ଼ ବ୍ୟବସାୟୀ ପ୍ରତିଷ୍ଠାନର ମାଲିକଙ୍କ ନାମ ରହିଛି । ଯାହା ଏବେ ଖଲ୍ଲିକୋଟ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବ୍ୟବସାୟୀ ମାନେ ପ୍ରତିମାସରେ ସମ୍ପୃକ୍ତ ସଂସ୍ଥା ଠାରୁ ଦସ୍ତଖତ କରି ଟଙ୍କା ଉଠାଉଥିବାର ମଧ୍ୟ ସୂଚନା ତଥ୍ୟ ରେ ଉପଲବ୍ଧ ଅଛି । ତେବେ ଆଶ୍ଚର୍ଯ୍ୟର କଥା ଯେଉଁ ମାନଙ୍କ ନାମରେ ଟଙ୍କା ଉଠା ଯାଉଛି ସେମାନେ କିଏ ବେକେରୀ ସପ କରିଛିତ ଆଉ କିଏ ଷ୍ଟେସନାରୀ ଦୋକାନ ଏବଂ ଆଉ କିଏ ଗ୍ରୋସରୀ ଦୋକାନ କରିଛି ।
ଖଲ୍ଲିକୋଟ ର ସାମାଜିକ କର୍ମୀ ରାଜୀବ ଖାଡଙ୍ଗା ଖଲ୍ଲିକୋଟ ଏନଏସି ରେ ସଫେଇ ବାବଦରେ ମାସକୁ କେତେ ଟଙ୍କା ଖର୍ଚ୍ଚ ହେଉଛି ଜାଣିବା ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗିଥିଲେ । ଏନଏସି କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସଫେଇ କାର୍ଯ୍ୟ ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ମାସକୁ ସଫେଇ ପାଇଁ ୫ ଲକ୍ଷ ୧୭ ହଜାର ୫୮୦ ଟଙ୍କା ନେଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଝାଡୁଦାର ତାଲିକାରେ ହରିଜନ ବ୍ୟକ୍ତିଙ୍କ ସହ ୧୫ ରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କ ନାମ ରହିଛି । ଝାଡୁଦାର ତାଲିକାରେ ବହୁ ବ୍ୟବସାୟୀଙ୍କ ନାମ ଯୋଡ଼ି ସଫେଇ କାମ ନେଇ ଥିବା ଠିକା ସଂସ୍ଥା ପ୍ରତି ମାସରେ ଲକ୍ଷାଧିକ ଟଙ୍କା ହେରଫେର କରୁଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ରୁ ଜଣାପଡିଥିଲା । ଏ ନେଇ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର ସମ୍ପୃକ୍ତ ଠିକା ସଂସ୍ଥାକୁ ନୋଟିସ ଜାରି କରିଛନ୍ତି । ଖଲ୍ଲିକୋଟ ପରିଦର୍ଶନରେ ଆସିଥିବା ଛତ୍ରପୁର ଏଡିଏମ ଲିନା କୁମାରୀ ଖେସ୍ ଙ୍କୁ ପଚାରିବାରୁ ସେ ସରକାରୀ ଅର୍ଥ ହଡପ କରିଥିବା ପ୍ରମାଣ ମିଳିଲେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସେପଟେ ଘଟଣାର ଖୁଲାସା ପରେ ସମ୍ପୃକ୍ତ ଠିକା ସଂସ୍ଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଖଲ୍ଲିକୋଟ ବାସିନ୍ଦା ଦାବି କରିଛନ୍ତି ।