ଶ୍ରୀଲଙ୍କା ଗସ୍ତ ପାଇଁ ଧୱନ୍ କ୍ୟାପଟେନ୍, ଏକାଧିକ ନୂଆ ମୁହଁଙ୍କୁ ସୁଯୋଗ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଜୁଲାଇ ୧୩ ତାରିଖରୁ ଆରମ୍ଭ ହେବାକୁଥିବା ଶ୍ରୀଲଙ୍କା ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରଯାଇଛି। ଟିମର ନେତୃତ୍ୱଭାର ଆଶା ଅନୁଯାୟୀ ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ ପ୍ରଦାନ କରାଯାଇଛି। ଷ୍ଟ୍ରାଇକ୍ ବୋଲର ଭୁବନେଶ୍ୱର କୁମାରଙ୍କୁ ଟିମର ଭାଇସ୍ କ୍ୟାପଟେନ୍ କରାଯାଇଛି। ଟିମରେ ଏକାଧିକ ନୂଆ ମୁହଁକୁ ସାମିଲ୍ କରାଯାଇଛି। ଉକ୍ତ ଟିମରେ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କୃନାଲ୍)ଙ୍କୁ ସାମିଲ୍ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ରେକର୍ଡ ବ୍ରେକିଂ ସ୍କୋର କରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଚୟନ କରାଯାଇଥିବା ବେଳେ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକଲ ଓ ବାମହାତୀ ବୋଲର ଚେତନ ସାକାରିୟାଙ୍କୁ ସୁଯୋଗ ଦିଆଯାଇଛି। ଟିମର ଦୁଇ ନିୟମିତ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ୍ ସ୍ଥାନ ବଜାୟ ରଖିଥିବା ବେଳେ ଦୁଇଜଣ ୱିକେଟକିପର ଇଶାନ୍ କିଶନ ଓ ସଞ୍ଜୁ ସାମସନଙ୍କୁ ରଖାଯାଇଛି। ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ ପକ୍ଷରୁ ଖେଳୁଥିବା ଋତୁରାଜ ଗାଏକ୍ୱାଡ, କୋଲକାତା ନାଇଟ୍ ରାଇଡର୍ସର ନୀତୀଶ ରାଣାଙ୍କୁ ମଧ୍ୟ ଟିମରେ ସ୍ଥାନ ମିଳିଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କା ଗସ୍ତରେ ଭାରତ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବ। ସବୁଯାକ ମ୍ୟାଚ୍ କଲମ୍ବୋର ଆର୍ ପ୍ରେମଦାସା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ମ୍ୟାଚ୍ ଗୁଡ଼ିକ ଯଥାକ୍ରମେ ଜୁଲାଇ ୧୩, ୧୬ ଓ ୧୮ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ତିନୋଟି ଟି-୨୦ ସିରିଜ୍ ଖେଳାଯିବ, ଯାହା ଜୁଲାଇ ୨୧, ୨୩ ଓ ୨୫ ତାରିଖରେ ହେବ। ଭାରତୀୟ ସ୍କ୍ୱାଡ୍: ଶିଖର ଧୱନ୍ (କ୍ୟାପଟେନ୍), ଭୁବନେଶ୍ୱର କୁମାର (ଭାଇସ୍ କ୍ୟାପଟେନ୍), ପୃଥ୍ୱୀ ଶ’, ଦେବଦତ୍ତ ପାଡିକଲ୍, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, ଇଶାନ୍ କିଶନ (ୱିକେଟକିପର), ସଞ୍ଜୁ ସାମସନ୍ (ୱିକେଟ୍ କିପର), ୟୁଜବେନ୍ଦ୍ର ଚହଲ୍, ରାହୁଲ୍ ଚହର୍, କ୍ରିଷ୍ଣାପ୍ପା ଗୌତମ, କୃନାଲ୍ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁନ୍ ଚକ୍ରବର୍ତ୍ତୀ, ଦୀପକ ଚହର୍, ନବଦୀପ ସାଇନି, ଚେତନ ସାକାରିୟା। ନେଟ୍ ବୋଲର୍: ଇଶାନ୍ ପୋରେଲ୍, ସନ୍ଦୀପ ୱାରିୟର୍, ଅର୍ଶଦୀପ ସିଂହ, ସାଇ କିଶୋଇ, ସିମରନଜିତ୍ ସିଂହ ।

Leave a Reply

Your email address will not be published. Required fields are marked *