‘ୟାସ୍‌’ ପ୍ରଭାବିତଙ୍କୁ ବାସ୍ତବରେ ସହାୟତା ମିଳିବ କେବେ ? ପଚାରିଲା ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ‘ୟାସ୍‌’ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଟକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତେବେ ବାସ୍ତବରେ ଏହି ସହାୟତା କ୍ଷତିଗ୍ରସ୍ତଙ୍କୁ କେବେ ମିଳିବ? ତାକୁ ନେଇ ରାଜ୍ୟ ବିଜେପି ନେତା ମନମୋହନ ସାମଲ ପ୍ରଶ୍ନ କରିଥିବା ବେଳେ ପୂର୍ବରୁ ବାତ୍ୟା ‘ଫୋନି’ ସହାୟତା ମିଳିନଥିବା କହିଛନ୍ତି। ଶ୍ରୀ ସାମଲ୍‌ କହିଛନ୍ତି-“ବାତ୍ୟା ୟାସରେ ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଧାନ ନଷ୍ଟ ହୋଇଛି। ଚିଙ୍ଗୁଡ଼ି ଚାଷ ନଷ୍ଟ ହୋଇଛି। ୨ରୁ ୩ ଦିନ ଭିତରେ ସହାୟତା ମିଳିଯିବା କଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଦିନ ପରେ ପ୍ୟାକେଜ୍‌ ଘୋଷଣା କରୁଛନ୍ତି। ହେଲେ ସହାୟତା କେବେ ସୁଦ୍ଧା ମିଳିବ, ସେ ନେଇ କୌଣସି ସମୟ ସୀମା ଦେଇନାହାନ୍ତି।” ସେ ଆହୁରି କହିଛନ୍ତି-“ବାତ୍ୟା ଫୋନି ପରେ କେନ୍ଦ୍ର ସରକାର ୪୪୦୦ କୋଟି ଦେଇଥିଲେ। ହେଲେ ଆଜି ଯାଏ କ୍ଷତିଗ୍ରସ୍ତଙ୍କୁ ପଇସା ମିଳିନି। ଠିକ୍‌ ସେମିତି ବାତ୍ୟା ୟାସ୍‌ ସହାୟତା କେବେ ମିଳିବ, ମୁଖ୍ୟମନ୍ତ୍ରୀ ସମୟ ସୀମା ନିର୍ଦ୍ଧାରଣ କରନ୍ତୁ। ସେମିତି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ କୃଷି ଋଣ ନେଇ କିଛି କହିନାହାନ୍ତି ମୁଖ୍ୟମନ୍ତ୍ରୀ। ୫୦%ରୁ ଅଧିକ ଗାଁରେ ବିଜୁଳି ପୁନରୁଦ୍ଧାର ହୋଇପାରିନି। ଏବେ ମଧ୍ୟ ଖୁଣ୍ଟ ଭାଙ୍ଗି ପଡିଛି। ଅନେକ ଅଞ୍ଚଳରେ ପାନୀୟ ଜଳ ବିଶୋଧନ ହୋଇପାରିନି। ବାତ୍ୟା ସମୟରେ ଲୋକଙ୍କୁ ରିଲିଫ ମିଳିଲା ନାହିଁ। ଲୋକେ ବାତ୍ୟା ଆଶ୍ରୟ ସ୍ଥଳୀରେ ଖାଇବାକୁ ପାଇଲେ ନାହିଁ। ସେ ସବୁର ତୁରନ୍ତ ବ୍ୟବସ୍ଥା କରନ୍ତୁ। ଏହାଛଡ଼ା ସମ୍ଭାବ୍ୟ ବନ୍ୟା ପାଇଁ ପଞ୍ଚାୟତ ସ୍ତରରେ ଥିବା ସବୁ ଗୋଦାମରେ ଗୋଟିଏ ମାସର ଚୁଡ଼ା, ଚାଉଳ ଓ କିରାସିନି ମହଜୁଦ ରଖାଯାଉ।”

 

Leave a Reply

Your email address will not be published. Required fields are marked *