ଅଜିତ ପାୱାରଙ୍କ ସହ ଯାଇଥିଲେ, କିନ୍ତୁ ମୋଦିଙ୍କୁ ଏକାନ୍ତରେ ଭେଟିଲେ ଉଦ୍ଧବ ଠାକରେ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟଘାଟକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ଡେପୁଟି ଅଜିତ ପାୱାର ଓ କ୍ୟାବିନେଟ ମନ୍ତ୍ରୀ ଅଶୋକ ଚୌହାନଙ୍କ ସହ ଦିଲ୍ଲୀ ଯାଇ ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମୋଦିଙ୍କ ସହ ବୈଠକ କରିବା ବେଳେ ସେମାନେ ମରାଠା ସଂରକ୍ଷଣ ଓ ବାତ୍ୟା ତଉକତେର କ୍ଷୟକ୍ଷତି କଥା ଜଣାଇଥିଲେ। ସମସ୍ତଙ୍କ ସହ ବୈଠକ ଶେଷ ହେବା ପରେ ଉଦ୍ଧବ ଠାକରେ ହଠାତ୍‌ ମୋଦିଙ୍କ ସହ ଏକାନ୍ତରେ ୧୦ ମିନିଟ୍‌ ଆଲୋଚନା କରିବାର ସମୟ ମାଗିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ୧୦ ମିନିଟ୍‌ ଉଦ୍ଧବ କ’ଣ କଥା ହେଲେ, ସେକଥା ଜଣାପଡ଼ିନି। ରାଜନୀତିକ ଅଭିସନ୍ଧି ନା ଏହା ପଛରେ ଆଉ କିଛି କାରଣ ରହିଛି, ତା’କୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି। ଏହି ଭେଟଘାଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମରାଠା ସଂରକ୍ଷଣ ବିଷୟରେ କଥା ହୋଇଛି। ବାତ୍ୟା ତଉକତେ ସମ୍ପର୍କରେ ଆଲୋଚନା କରାଯିବା ସହ ମୋଦିଙ୍କୁ ରିପୋର୍ଟ ଦିଆଯାଇଛି।” ମୋଦିଙ୍କ ସହ ସ୍ୱତନ୍ତ୍ର ମିଟିଂ କଥା ପଚାରି ଯିବାରୁ ଏହାର ଉତ୍ତର ବେଶ ଚତୁରତା ସହ ଦେଇଛନ୍ତି ଉଦ୍ଧବ ଠାକରେ। ସେ କହିଛନ୍ତି, “ଆମେ ରାଜନୀତିକ ଦୃଷ୍ଟିକୋଣରୁ ଏକାଠି ନାହୁଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମ ଭିତରେ ଥିବା ସମ୍ପର୍କ ଭାଙ୍ଗି ଯାଇଛି। ମୁଁ ନୱାଜ ଶରିଫ(ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ)ଙ୍କୁ ଭେଟିବାକୁ ଯାଇ ନଥିଲି। ତେଣୁ ମୁଁ ଯଦି ମୋଦିଙ୍କୁ ସ୍ୱତନ୍ତ୍ର ଭାବେ ଭେଟିଲି, ତା’ହେଲେ ସେଥିରେ କୌଣସି ପ୍ରକାରର ଅସୁବିଧା ନାହିଁ।” ଅନ୍ୟପକ୍ଷରେ ପିଏମଓ ପକ୍ଷରୁ ମୋଦି, ଅଜିତ ପାୱତ, ଅଶୋକ ଚୌହାନ ଓ ଉଦ୍ଧବ ଠାକରେଙ୍କ ଭେଟଘାଟ ବେଳର ଫଟୋକୁ ଟ୍ୱିଟ କରିଛି।

Leave a Reply

Your email address will not be published. Required fields are marked *