ମୋଦି ସରକାରର ୭ ବର୍ଷ ପୂର୍ତ୍ତି;ଦୁଇଦିନିଆ ସେବାଦିବସ ପାଳିବ ବିଜେପି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରର ୭ବର୍ଷ ପୂରଣ କରୁଥିବାରୁ ରାଜ୍ୟ ବିଜେପି ଆସନ୍ତାକାଲିଠୁ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସେବା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟର ସମସ୍ତ ପଂଚାୟତ ଓ ସହରାଂଚଳରେ ଏହି ସେବା ଦିବସ ପାଳନ ହେବା ସହ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟ ଅନୁଷ୍ଠିତ ହେବ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି କେନ୍ଦ୍ରରେ ମୋଦି ସରକାର ୭ ବର୍ଷ ପୂର୍ତି ହେବ। ବିଭିନ୍ନ ଜନ ଓ ଗରିବକଲ୍ୟାଣ ଯୋଜନାର ସଫଳ ରୂପାୟନ କାରଣରୁ ଦେଶବାସୀଙ୍କ ମଧ୍ୟରେ ମୋଦି ସରକାର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହେବାସହ ବିଶ୍ୱସ୍ତରରେ ଭାରତକୁ ସମ୍ମାନିତ କରାଇଛନ୍ତି। ମୋଦି ସରକାରର ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଅବସରରେ ଆସନ୍ତାକାଲି ୩୦ ଓ ୩୧ ତାରିଖକୁ ଦେଶବ୍ୟାପୀ ସେବା ଦିବସ ଭାବେ ପାଳନ କରାଯିବ। ଏହି କ୍ରମରେ ରାଜ୍ୟର ସମସ୍ତ ପଂଚାୟତ ଏବଂ ସହରାଂଚଳରେ ଏହି ସେବା କାର୍ଯ୍ୟ ଅନୁଷ୍ଠିତ ହେବ। କରୋନା ସଂକ୍ରମଣ କାରଣରୁ ରାଜ୍ୟବ୍ୟାପୀ ଲକ୍‌ଡାଉନ, ସଟଡାଉନ ଜାରି ରହିଛି। କରୋନା ଗାଇଡଲାଇନକୁ ସଂପୂର୍ଣ୍ଣ ଭାବେ ପାଳନ କରି ବିଜେପି କର୍ମକର୍ତ୍ତାମାନେ ରାଜ୍ୟର ପ୍ରତ୍ୟେକ ପଂଚାୟତ ଏବଂ ସହରାଂଚଳର ବିଭିନ୍ନ ୱାର୍ଡଗୁଡ଼ିକରେ ସେବା କାର୍ଯ୍ୟ କରିବେ । ବିଶେଷ ଭାବେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ମାସ୍କ ଓ ସାନିଟାଇଜର ବଂଟନ ସମେତ ଶୁଖିଲା, ରନ୍ଧା ଖାଦ୍ୟ ବଂଟନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯିବ । ସେହିପରି ରାଜ୍ୟର ପ୍ରତ୍ୟେକ ସାଂଗଠନିକ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇ ରକ୍ତ ସଂଗ୍ରହ କରାଯିବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ସମସ୍ତେ ଶୁଣିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ୨ ଦିନିଆ ସେବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦଙ୍କୁ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ଆସନ୍ତା ଜୁନ୍ ୨ ତାରିଖରେ ଭର୍ଚୁଆଲ ମିଟିଂ ଜରିଆରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave a Reply

Your email address will not be published. Required fields are marked *