ଉଛୁଳୁଛି ସୁବର୍ଣ୍ଣରେଖା, ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ‘ୟାସ୍‌’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ଏହା ବିପଦ ସଂକେତ ଟପିଛି। ଜାମଶୋଳାଘାଟରେ ସୁବର୍ଣ୍ଣରେଖାର ବିପଦ ସଂକେତ ୪୯.୧୬ ମିଟର ଥିବା ବେଳେ ଏବେ ଏଠାରେ ୫୦.୮୮ ମିଟରରେ ଜଳ ପ୍ରବାହିତ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହା ସହିତ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସେ କହିଛନ୍ତି। ବାତ୍ୟା ‘ୟାସ୍‌’ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏହା ପରେ ଝାଡ଼ଖଣ୍ଡରେ ଗାଲୁଡିହି ବ୍ୟାରେଜ୍ ଖୋଲାଯାଇଛି। ସେଥିପାଇଁ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇଛି। ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ଲୋକଙ୍କୁ ସତର୍କ କରାଯାଇଥିଲା। ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀକୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା।

Leave a Reply

Your email address will not be published. Required fields are marked *