ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ – ଏସ୍‌ଆର୍‌ସି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯାହା ଜଣାପଡୁଛି ବୁଧବାର ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବ। ସକାଳ ୫ଟାରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି। ସେ କହିଛନ୍ତି-“ବାତ୍ୟା ୟାସ୍‌ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୮୫ କିମି ଯାଏ ଯାଇପାରେ। ଏବେ ପାରାଦୀପ ଓ ଅସ୍ତରଙ୍ଗରେ ୬୦/୭୦ କିମି ବେଗରେ ପବନ ବୋହୁଛି। ରାତିରେ ପବନ ବଢ଼ିବ। ସକାଳେ ସର୍ବାଧିକ ପବନ ହେବ। ତେଣୁ ଆମ ପାଇଁ ଏହି ୮ରୁ ୧୦ ଘଣ୍ଟା ବେଶୀ ଗୁରୁତ୍ୱପୂର୍ଣ୍ଣ।” ସ୍ଥାନାନ୍ତର ନେଇ ଶ୍ରୀ ଜେନା କହିଛନ୍ତି-“ଏଯାବତ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ବାଲେଶ୍ୱରରେ ସର୍ବାଧିକ ୧ ଲକ୍ଷ ୪୩ ହଜାର ଲୋକ ସ୍ଥାନାନ୍ତର କରାଯାଇଛି। ସେହିପରି କେନ୍ଦ୍ରାପଡ଼ାରୁ ୧ ଲକ୍ଷ ୫ ହଜାର, ଭଦ୍ରକରୁ ୯୪ ହଜାର, ଜଗତସିଂହପୁରରୁ ୨୧ ହଜାର, ମୟୂରଭଂଜରୁ ୪୩୫୦୦, ପୁରୀରୁ ୧୪ ହଜାର, କଟକରୁ ୧୫୫୦୦ ଓ କେନ୍ଦୁଝରରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏବେ ବି ଲୋକଙ୍କୁ ଅଣାଯାଉଛି, ସଂଖ୍ୟା ବଢ଼ିବ। କାଳେ କେହି ଘରେ ରହିଯାଇଥିବେ, ଗାଁ ଗାଁ ବୁଲି ଯାଞ୍ଚ କରୁଛି ଟିମ୍।” କଟକ ଓ ଭୁବନେଶ୍ୱରରେ ବାତ୍ୟା ପ୍ରଭାବ ନେଇ SRC ପ୍ରଦୀପ ଜେନା କହିଛନ୍ତି-“ବାତ୍ୟା ଗ୍ରାଫ୍‌ରେ ଭୁବନେଶ୍ୱର ଓ କଟକ ଭାଓଲେଟ ଜୋନରେ ଆସୁଛି। ଭାଓଲେଟ ଜୋନରେ ପବନ ୬୦ରୁ ୯୦ କିମି ମଧ୍ୟରେ ହୋଇଥାଏ। ଏହି ଦୁଇ ସହରରେ ୬୦ରୁ ୭୦ କିମି ବେଗରେ ପବନ ହୋଇପାରେ। ଏତିକି ପବନ ହେଲେ କିଛି ପୁରୁଣା ବା ଅଧା ଭଙ୍ଗା ଗଛ ଭାଙ୍ଗିପାରେ। କଟକ ଓ ଭୁବନେଶ୍ୱରକୁ ବେଶୀ ପ୍ରଭାବ ପଡ଼ିବ ନାହିଁ।” ସୂଚନାରୁ ପ୍ରକାଶ, ବୁଧବାର ସକାଳେ ବାତ୍ୟା ୟାନ୍‌ ଧାମରା ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବ। ବାତ୍ୟା ଲ୍ୟାଣ୍ଡଫଲ୍‌ ପୂର୍ବରୁ ଅର୍ଥାତ ଆଜି ରାତିରୁ ପ୍ରବଳ ବର୍ଷା ହେବା ସହିତ ପବନ ବହିବ। ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ ରହିବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *