Site icon Ethara Sambhala

ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ ଭେଣ୍ଟିଲେଟର ସହ ଆଇସିୟୁ ବେଡ୍‌ ଲୋକାର୍ପିତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଇସ୍ପାତ ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ୍‌ ଆଜି ଲୋକାର୍ପିତ ହୋଇଛି। ଭର୍ଚୁଆଲ୍‌ ମୋଡ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପଣ କରିଛନ୍ତି। ଆଗାମୀ ଦିନରେ ଏହାର ସୁବିଧା ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍‌ ସଂକ୍ରମିତମାନେ ପାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି-“ଅକ୍ସିଜେନ ପ୍ଲାଣ୍ଟ ନିକଟରେ ବୃହତ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିଲେ। ଯାହାକୁ ପ୍ରାଧାନ୍ୟ ଦେଇ ସେଲ୍ ରାଉରକେଲାରେ ୫୦୦ ବେଡ୍‌ ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଦାୟିତ୍ୱ ନେଇଛି। ଏଥିପାଇଁ ମୁଁ ସେଲ୍‌ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଉଛି।” ସେ ଆହୁରି କହିଛନ୍ତି-“ବର୍ତ୍ତମାନ ଖଣି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦିଆଯିବ। ତେଣୁ କେନ୍ଦୁଝର ଜିଲ୍ଲା ବଲାଣି/ବଡ଼ବିଲଠାରେ ଅକ୍ସିଜେନ ସୁବିଧା ସହ ୧୦୦ କୋଭିଡ୍‌ ବେଡ୍‌ ଓ ସୁନ୍ଦରଗଡ଼ ଜିଲ୍ଲାର କୋଇଡାଠାରେ ୫୦ ଅକ୍ସିଜେନ ସଂଯୁକ୍ତ ବେଡ୍‌ର ବ୍ୟବସ୍ଥା କରିବା ପାଇଁ ସେଲକୁ ଦାୟିତ୍ୱ ଦିଆଯାଇଛି। ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୭୪ ଲକ୍ଷ ୮୬ ହଜାର ୧୪୦ ଟିକା ଉପଲବ୍ଧ ହୋଇଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାକୁ କେନ୍ଦ୍ର ସରକାର ୬୮ ଲକ୍ଷ ୫୭ ହଜାର ୬୬୦ ଟିକା ଦେଇଛନ୍ତି। କର୍ପୋରେଟ୍‌ ତଥା ସେଲ୍‌ ମଧ୍ୟ ଟିକା ଅଭିଯାନରେ ସାମିଲ ହୋଇ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରନ୍ତୁ। ଏହାସହ ସେଲକୁ ଅନୁରୋଧ ଯେ, ସୁନ୍ଦରଗଡ଼ର ଅନ୍ୟୁନ ୨ ଜଣ ସାଧାରଣ ଲୋକଙ୍କୁ ମାଗଣାରେ ଟିକା ଦେବାର ଦାୟିତ୍ୱ ନିଅନ୍ତୁ।” ସେ ଆହୁରି କହିଛନ୍ତି-“ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ରେ ଅକ୍ସିଜେନ ପ୍ରସ୍ତୁତ ୟୁନିଟରୁ ଲିକୁଇଡ୍‌ ମେଡ଼ିକାଲ ଅକ୍ସିଜେନର ଉତ୍ପାଦନ ଏବଂ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି। ଚଳିତବର୍ଷ ଏପ୍ରିଲରୁ ଏହି ପ୍ଲାଣ୍ଟରୁ ୧୦ ହଜାର ଟନରୁ ଅଧିକ ମେଡ଼ିକାଲ ଅକ୍ସିଜେନ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଉଛି। ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପ୍ରାଥମିକତା ଦିଆଯାଉଛି। କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ବିଶେଷ ଭାବରେ କେନ୍ଦ୍ରୀୟ ପିଏସୟୁ ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ପାଖାପାଖି ୫ ହଜାର କୋଭିଡ୍‌ ବେଡ୍‌ ଏବଂ ୧୦୦୦ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ, ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମବୀ ଫଗନ ସିଂହ କୁଲସ୍ତେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଧାୟକ ଓ ସେଲ୍‌ କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ।

Exit mobile version