Site icon Ethara Sambhala

ଚଳିତବର୍ଷ ଗାଁ କଲ୍ୟାଣ ସମିତିକୁ ୧୦ହଜାର ପରିବର୍ତ୍ତେ ମିଳିବ ୨୦ହଜାର ଟଙ୍କା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –୨୦୨୧-୨୨ ଆର୍ଥିକ ବର୍ଷରେ ଗାଁ କଲ୍ୟାଣ ସମିତିଗୁଡ଼ିକୁ ୪ଟି କିସ୍ତିରେ ୨୦ହଜାର ଟଙ୍କା ଲେଖାଏଁ ମିଳିବ। କୋଭିଡ୍ ସଚେତନତା, ଗରିବ ଲୋକଙ୍କୁ ମାସ୍କ ବଣ୍ଟନ, କୋଭିଡ୍ ରୋଗୀଙ୍କ ଘରକୁ ସାନିଟାଇଜେସନ୍ ଆଦି କାର୍ଯ୍ୟ ପାଇଁ ସେମାନେ ଏହି ଅର୍ଥ ଖର୍ଚ୍ଚ କରିବେ। ପ୍ରତିବର୍ଷ ଗାଁ କଲ୍ୟାଣ ସମିତିକୁ ୧୦ହଜାର ଟଙ୍କା ଲେଖାଏଁ ଦିଆଯାଇଥାଏ, କିନ୍ତୁ ଚଳିତଥର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଁ କଲ୍ୟାଣ ସମିତିକୁ ଅଧିକ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୨ଦିନ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗ୍ରାମାଂଚଳରେ କୋଭିଡ୍ ପରିଚାଳନା ପାଇଁ ୩ମାସିଆ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ନିମନ୍ତେ ଗାଁ କଲ୍ୟାଣ ସମିତି ବୈଠକ ଡାକି ପ୍ରତିବର୍ଷ ମିଳୁଥିବା ୧୦ହଜାର ଟଙ୍କା କିଭଳି ଖର୍ଚ୍ଚ ହେବ ତା’ର ରୂପରେଖ ପ୍ରସ୍ତୁତ ପାଇଁ କୁହାଯାଇଛି। ସେହିପରି ଗାଁ ଲୋକଙ୍କୁ ସାମିଲ କରି ସାନିଟାଇଜେସନ୍ ଅଭିଯାନ ଚଳାଇବା, କୋଭିଡ୍ ସଂକ୍ରମିତଙ୍କ ଘରକୁ ସାନିଟାଇଜ୍ କରିବା, କୋଭିଡ୍ ରୋଗୀଙ୍କୁ ଟିକା ଓ ପରୀକ୍ଷା ନିମନ୍ତେ ବ୍ୟକ୍ତିଗତ ସହାୟତା, କୋଭିଡ୍ ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ କୋଭିଡ୍ ସଚେତନତା ଆଦି ନିମନ୍ତେ ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି। ଗାଁ କଲ୍ୟାଣ ସମିତିଗୁଡ଼ିକ ଏହି ୨୦ହଜାର ଟଙ୍କା ମଧ୍ୟରୁ ୭ହଜାର ଟଙ୍କାକୁ ଅତିକମରେ ମାସକୁ ଥରେ ସାମୟିକ ସଚେତନତା କାର୍ଯ୍ୟକ୍ରମ( ମାଇକ୍ ବଜାଇ, ବାଜା ବଜାଇବା, ପୋଷ୍ଟର ଲଗାଇବା ଆଦି)ରେ ଖର୍ଚ୍ଚ କରିବେ। କାନ୍ଥରେ ସଚେତନତା ବାର୍ତ୍ତା ଲେଖିବା ଓ ହୋର୍ଡିଂ ଲଗାଇବା ମାଧ୍ୟମରେ କରିବେ। ସେହିପରି ଗାଁର ଗରିବ ଲୋକଙ୍କୁ ମାସ୍କ, ସାବୁନ ଆଦି ବାଣ୍ଟିବା ପାଇଁ ୨ହଜାର ଟଙ୍କା, ଗରିବ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ଦେବା ନିମନ୍ତେ ଅବା କୋଭିଡ୍ ଟିକା ଅବା ଟେଷ୍ଟ କରାଇବା ପାଇଁ ପଠାଇବା ନିମନ୍ତେ ୩ହଜାର ଟଙ୍କା, କୋଭିଡ୍ ସଂକ୍ରମିତଙ୍କ ଘରକୁ ସାନିଟାଇଜ୍ କରିବା ପାଇଁ ୩ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ଗାଁ କଲ୍ୟାଣ ସମିତି ବୈଂକ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବାକି ୫ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଚିଠି ଲେଖି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ କହିଛନ୍ତି।

Exit mobile version