Site icon Ethara Sambhala

ଅକ୍ସିଜେନ୍ ସିଲିଣ୍ଡର ଓ ଔଷଧ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ରାଜ୍ୟ ମାନବାଧିକାର ଆୟୋଗ ନିଜ ତରଫରୁ ମାମଲା କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗ ACSଙ୍କୁ ଜବାବ ତଲବ କରିଛନ୍ତି। OHRC ଅକ୍ସିଜେନ୍ ଏବଂ ଜୀବନ ରକ୍ଷାକାରୀ ଔଷଧର କଳାବଜାରୀ ରୋକିବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। କଳାବଜାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ଦ୍ୱିତୀୟ ଲହରରେ ଗ୍ରାମାଞ୍ଚଳ ଅଧିକ ପ୍ରଭାବିତ ହେଉଥିବାରୁ ତୁରନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା TMC ଖୋଲିବାକୁ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି କମିଶନ। ସେହିପରି ମୃତଦେହର ଅନ୍ତିମ ସଂସ୍କାର ନେଇ NHRC ଜାରି କରିଥିବା ପରାମର୍ଶକୁ ପାଳନ କରିବାକୁ ମଧ୍ୟ ସରକାରଙ୍କୁ କୁହାଯାଇଛି। ଆସନ୍ତା ଜୁନ୍ ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ, ରାଜ୍ୟରେ ଅକ୍ସିଜେନ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଚିକିତ୍ସା କ୍ଷେତ୍ର ପାଇଁ ଅକ୍ସିଜେନ୍ ଉତ୍ପାଦନ, ଗଚ୍ଛିତ ଓ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଆଜି ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୯ଜଣିଆ ରାଜ୍ୟସ୍ତରୀୟ ଟାସ୍କଫୋର୍ସରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ପୂର୍ତ୍ତ ବିଭାଗର ସଚିବ, ଓଡ଼ିଶା ମେଡିକାଲ ନିଗମର ପରିଚାଳନା ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ଡ୍ରଗ୍ସ ନିୟନ୍ତ୍ରକ, ଫିକ୍କି ପ୍ରତିନିଧି ଓ ଉତ୍କଳ ଚାମ୍ବର୍ସ ଅଫ କର୍ମସ(ୟୁସିସିଆଇ)ର ପ୍ରତିନିଧିଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଏହି ଟାସ୍କଫୋର୍ସର ସଦସ୍ୟ ଆବାହକ ଭାବେ ଇପିକଲ୍ ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟ ତୁଲାଇବେ।

Exit mobile version