Site icon Ethara Sambhala

ବସନ୍ତ ଦେଲେ ପ୍ରସ୍ତାବ, ପ୍ରମିଳା ଦେଲେ ଜବାବ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କୋଭିଡ୍‌ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେଉଥିବା କହି ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା। ବର୍ତ୍ତମାନର ସ୍ଥିତିକୁ ନେଇ ଓଡିଶା ସରକାର ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି, ଗ୍ରାମାଞ୍ଚଳରେ ଟେଷ୍ଟିଂ ଅଭାବରୁ ଅନେକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି। କିନ୍ତୁ ସରକାର ଜାଣିପାରୁନାହାନ୍ତି। ତେଣୁ ପ୍ରତ୍ୟେକ ସ୍ଥାନରେ ଟେଷ୍ଟିଂ ବୃଦ୍ଧି କରାଯିବା ଦରକାର। ସେ ଆହୁରି କହିଛନ୍ତି, ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ଲକଡାଉନ ଘୋଷଣା କରିଥିବାରୁ ଅନେକ ପ୍ରବାସୀ ଓଡ଼ିଆ ଶ୍ରମିକ ଘରକୁ ଫେରୁଛନ୍ତି। ସେମାନେ ଘରକୁ ଆସିବା ପରେ ସଂକ୍ରମଣ ବଢ଼ି ଚାଲିଛି। ଏଣୁ ପଞ୍ଚାୟତ ସ୍ତରରେ ଗତବର୍ଷ ହୋଇଥିବା ଟିଏମସି ଓ ଅସ୍ଥାୟୀ କ୍ୱାରେଣ୍ଟିନ ସେଣ୍ଟର ଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ। ଏହାସହ କୋଭିଡ ସ୍ଥିତିର ପରିଚାଳନା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଓ ଗାଁରେ ଆଶା କର୍ମୀ, ବିଭିନ୍ନ ସ୍ୱାସ୍ଥ୍ୟକର୍ମୀ ଓ ବିଭିନ୍ନ ଦଳର ଲୋକ, ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ କ୍ରାଏସେସ୍ ମ୍ୟାନେଜମେଣ୍ଟ ଟିମ ତିଆରି କରନ୍ତୁ। କେମିତି କୋଭିଡ ମ୍ୟାଜେମେଣ୍ଟ ଠିକ୍ ଭାବେ ହୋଇପାରିବ ସେଥିପାଇଁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ସାଂସଦ ଶ୍ରୀ ପଣ୍ଡା କହିଛନ୍ତି, ସରକାର ଭୁଲନ୍ତୁ ନାହିଁ ଯେ କରୋନା ସଂକ୍ରମଣ ଧୀରେ ଧୀରେ ଗ୍ରାମାଭିମୁଖୀ ହୋଇଚାଲିଛି। ତେଣୁ ସ୍ୱାସ୍ଥ୍ୟ ସେବା ମଧ୍ୟ ଗ୍ରାମାଭିମୁଖୀ କରିବା ହେବା ଦରକାର। ଅନ୍ୟପକ୍ଷରେ ବରିଷ୍ଠ ବିଜେଡି ବିଧାୟିକ ପ୍ରମିଳା ମଲ୍ଲିକ କହିଛନ୍ତି, ଗ୍ରାମାଞ୍ଚଳରେ ମେଡିକାଲ କ୍ୟାମ୍ପ କରାଯାଉଛି। ଅଧିକ ଟେଷ୍ଟିଂ ଓ ସାନିଟାଇଜ୍ କରାଯାଉଛି। ଅଭିଯୋଗ ଆସିଲେ ଟିମ୍ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରୁଛି। ସବୁ ଜାଗାରେ ବ୍ୟବସ୍ଥା ହେଇଛି। ବିରୋଧୀ ଅନ୍ଧାରରେ ବାଡ଼ି ବୁଲାଇଲେ ହେବ ନାହିଁ। ନିର୍ଦ୍ଦିଷ୍ଟ ଭାବେ କୁହନ୍ତୁ, କେଉଁଠି ଅବ୍ୟବସ୍ଥା ହୋଇଛି। ପ୍ରବାସୀ ଓଡ଼ିଆ ଘରକୁ ଫେରୁଥିବା ନେଇ ସାଂସଦ ଶ୍ରୀ ପଣ୍ଡା ଯେଉଁ କଥା କହିଛନ୍ତି ତାକୁ କାଉଣ୍ଟର କରି ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଗୁଜରାଟ ଭଳି ରାଜ୍ୟରେ ତାଙ୍କ ଦଳର ସରକାର ରହିଛି। ଯେଉଁ ରାଜ୍ୟରୁ ଶ୍ରମିକ ମାନେ ଫେରୁଛନ୍ତି ସେହି ରାଜ୍ୟର ସରକାରମାନେ ଯଦି ସେମାନଙ୍କୁ ରଖନ୍ତେ, ତା’ହେଲେ ସେମାନେ କାହିଁକି ସେଠାରୁ ଫେରନ୍ତେ। ଆମ ଶ୍ରମିକମାନଙ୍କୁ ବାହାର ରାଜ୍ୟରେ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉନାହିଁ। ତେଣୁ ସେମାନେ ସେଠାରୁ ଫେରୁ ନାହାନ୍ତି। କିନ୍ତୁ ଓଡ଼ିଶାରେ ବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ସୁବିଧା କରାଯାଇଥିବା ସେ କହିଛନ୍ତି।

Exit mobile version