Site icon Ethara Sambhala

‘ମିଛ ପ୍ରଚାର ଛାଡ଼ୁ ବିଜେପି, ୪ ମାସରେ ମାତ୍ର ୩% ଲୋକଙ୍କୁ କୋଭିଡ୍ ଟିକା’…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦେଶର ଟିକାକରଣକୁ ନେଇ ରାଜ୍ୟର ବିଜେପି ନେତାମାନେ ଲୋକଙ୍କୁ ମିଛ କହିବା ବନ୍ଦ କରନ୍ତୁ। ୪ମାସ ମଧ୍ୟରେ ଭାରତରେ ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟିକା ଅଭିଯାନରେ ସାମିଲ କରାଯାଇ ପାରିଛି ବୋଲି କଂଗ୍ରେସ କହିଛି। ପ୍ରଦେଶ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଆଜି ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ କୋଭିଡ୍ ଟିକାକରଣ ଅଭିଯାନ ଉପରେ ପ୍ରଶ୍ନ ଉଠାଇ ସିଧାସଳଖ ବିଜେପିକୁ ସମାଲୋଚନା କରିଥିବାବେଳେ ରାଜ୍ୟର ଟିକା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ, ଭାରତର ଟିକାକରଣ ସାରା ବିଶ୍ୱରେ ସର୍ବବୃହତ ୧ ନମ୍ବର ବୋଲି ବିଜେପି ଛାତି ବାଡ଼େଇ ପ୍ରଚାର କରି ଥିବାବେଳେ ଅସଲରେ ଗତ ଜାନୁଆରୀ ୧୬ ରୁ ଟୀକା ଅଭିଯାନ ଆରମ୍ଭ ହେବାଠାରୁ ଏବେ ଯାଏ ଗତ ଚାରିମାସ ମଧ୍ୟରେ ଭାରତର ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟୀକା ଦିଆଯାଇ ପାରିଛି। ଅନ୍ୟପଟେ ଆମେରିକାରେ ୩୭ ପ୍ରତିଶତ ଲୋକ ସଂପୂର୍ଣ୍ଣ ଟିକା ଡୋଜ୍ ନେଇ ସାରିଲେଣି। ଭାରତର ମୋଟ ୧୭ କୋଟି ୮୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଆମେରିକାରେ ୨୬ କୋଟି ୭୦ ଲକ୍ଷ, ଚୀନ ୩୭ କୋଟି ଲୋକଙ୍କୁ ଟିକା ଦେଇସାରିଲାଣି। ତେଣୁ ବିଜେପି ଏଭଳି ମିଛ ବାହାସ୍ଫୋଟ ମାରିବାରୁ କ୍ଷାନ୍ତ ରହୁ। ୨୦୨୧ -୨୨ ମସିହାରେ ଦେଶରେ କେନ୍ଦ୍ର ସରକାର କେବଳ ଟିକା ପାଇଁ ୩୫ ହଜାର କୋଟି ଟଙ୍କା ପ୍ରାବଧାନ କରିଥିଲେ। ଏଯାବତ ମାତ୍ର ୪୭୦୦ କୋଟି ଟଙ୍କା ଟିକା ବାବଦରେ ଖର୍ଚ୍ଚ ହୋଇଛି । ବାକି ୩୦ ହଜାର ୩ଶହ କୋଟି ଟଙ୍କାର ଟିକା ଖର୍ଚ୍ଚ ନକରି କେନ୍ଦ୍ର ସରକାର କାହିଁକି ଚୁପ ବସିପଡ଼ିଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ବିହାର, ପଶ୍ଚିମବଙ୍ଗ ନିର୍ବାଚନବେଳେ ଏବଂ ମନ୍ କି ବାତ୍‌ରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଭାରତରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ। କିନ୍ତୁ ଏବେ କାହିଁକି ରାଜ୍ୟ ମାନଙ୍କ ଉପରକୁ ଟିକାର ଦାୟିତ୍ୱ ଠେଲି ଦେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତରେ ମୋଟ ୯୪ କୋଟି ବୟସ୍କଙ୍କୁ ଟୀକା ଦେବା ପାଇଁ ଏବେ ଆଉ ୧୮୮ କୋଟି ଟିକା ଡୋଜର ଆବଶ୍ୟକତା ଅଛି। ସେଥିପାଇଁ ମୋଟ ୨୫୫୯୮ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଟିକା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିବା ୩୫ ହଜାର କୋଟି ଟଙ୍କା ମଧ୍ୟରେ ଏଥିପାଇଁ ଅର୍ଥ ଅଛି। କିନ୍ତୁ ମୋଦି ସରକାର ଏହି ଦାୟିତ୍ୱରୁ ଚୁପଚାପ ହଟିଗଲେ। ଅଥଚ ବିଜେପି ନେତାମାନେ ଓଲଟା ବିରୋଧି ଦଳ ମାନଙ୍କୁ ସମାଲୋଚନାରେ ବ୍ୟସ୍ତ। ଯଦି ରାଜ୍ୟମାନେ ନିଜ ସମ୍ବଳରୁ ଟିକା କିଣିବେ ତେବେ ସେମାନଙ୍କର ସ୍ୱାସ୍ଥ୍ୟ ବଜେଟର ୩୦ ପ୍ରତିଶତ କେବଳ ଟିକାରେ ଖର୍ଚ୍ଚ ହୋଇଯିବ। ଓଡ଼ିଶାର ଚଳିତ ସ୍ୱାସ୍ଥ୍ୟ ବଜେଟ ହେଉଛି ୯୩୪୦ କୋଟି ଟଙ୍କା ଏବଂ ଟିକା କିଣାରେ ପାଖାପାଖି ୩୦ ପ୍ରତିଶତ ଅର୍ଥାତ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଯିବ। ଯାହାଦ୍ୱାରା ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଚିକିତ୍ସା ପାଇଁ ଅର୍ଥାଭାବ ଦେଖାଦେବ ବୋଲି ଶ୍ରୀ ନାୟକ କହିଛନ୍ତି।

Exit mobile version