Site icon Ethara Sambhala

କରୋନା ଲଢ଼େଇ ପାଇଁ ପୁଲିସ୍‌କୁ ଅକ୍ସିଜେନ କନସେଣ୍ଟରେଟର୍ସ ଦେଲେ ଶିଖର ଧୱନ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)ମହାମାରୀ କରୋନାର ଦ୍ୱିତୀୟ ୱେଭରେ ଆଉଟପାଉଟ ହେଉଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ। ସେ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଗୁରୁଗ୍ରାମ ପୁଲିସକୁ କନସେଣ୍ଟରେଟର୍ସ ଦାନ କରିଛନ୍ତି। ଗୁରୁଗ୍ରାମ ପୁଲିସ୍‌ ଧୱନଙ୍କ ଦ୍ୱାରା ପାଇଥିବା କନସେଣ୍ଟରେଟର୍ସର ପୋଷ୍ଟ କରି ତାଙ୍କୁ ଧନ୍ୟବାଦ ଜଣାଇଛି। ଏହାକୁ ରି-ଟ୍ୱିଟ କରି ଧୱନ ଲେଖିଛନ୍ତି,“ଏହି ମହାମାରୀରେ ମୋ ଦେଶର ଲୋକଙ୍କୁ ଏହି ଛୋଟିଆ ଉଦ୍ୟମ ଦ୍ୱାରା ସହଯୋଗ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସବୁବେଳେ ମୋ ଦେଶର ଲୋକ ଓ ସମାଜକୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିଛି। ଏହି ମହାମାରୀକୁ ମାତ୍‌ ଦେଇ ଭାରତ ନିଶ୍ଚିତ ଆଗକୁ ବଢ଼ିବ।”

ଏହାପୂର୍ବରୁ ଧୱନ ଅକ୍ସିଜେନ ଯୋଗାଣ ପାଇଁ ସେ ଚଳିତ ଆଇପିଏଲରେ ପାଉଥିବା ସମସ୍ତ ପୁରସ୍କାର ଅର୍ଥ ସହ ଅତିରିକ୍ତ ୨୦ କୋଟି ଟଙ୍କା ଦାନ କରିଥିଲେ। ଚଳିତ ବର୍ଷ ଧୱନ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ରହିବା ସହ ଅରେଞ୍ଜ କ୍ୟାପ୍‌ ମଧ୍ୟ ନିଜ ପାଖରେ ରଖିଥିଲେ। ସେ ୮ଟି ମ୍ୟାଚ୍‌ରୁ ୩୦୮ ରନ୍‌ କରିଥିଲେ। କିନ୍ତୁ ମହାମାରୀ କରୋନା ଆଇପିଏଲରେ ପ୍ରବେଶ କରିବାରୁ ଏହାକୁ ଅଧାରୁ ସ୍ଥଗିତ ରଖାଯାଇଛି। ଆପିଏଲର ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ କରୋନାରେ ଆକ୍ରାନ୍ତ ହେବାରୁ ବିସିସିଆଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଛି। ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ସମୟରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ଥିବା ବେଳେ ଦ୍ୱିତୀୟରେ ଚେନ୍ନାଇ ସୁପରକିଙ୍ଗସ, ତୃତୀୟର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୪ର୍ଥରେ ମୁମ୍ୱାଇ ଇଣ୍ଡିଆନ୍ସ ରହିଥିଲା।

 

Exit mobile version