Site icon Ethara Sambhala

ବଢ଼ିଲା ନନ୍ଦନକାନନ ବନ୍ଦ ଅବଧି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ ଦିନକୁ ଦିନ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖିବା ଅବଧି ବଢ଼ା ଯାଇଛି । ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ୍ ବନ୍ଦ ଅବଧି ମଧ୍ୟ ବୃଦ୍ଧି କରାଯାଇଛି। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ନନ୍ଦନକାନନ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ନିକଟ ଅତୀତରେ ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ଭାଲୁ ଶାବକ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ଖାଇବା ସହ ସେମାନେ ବୁଲା ବୁଲି କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। କିଛି ଦିନ ତଳେ ରାଜଧାନୀ ନିକଟ ଗଙ୍ଗପଡ଼ା ଟୋଲ୍ ଗେଟ୍ ପାଖ କାଜୁ ଜଙ୍ଗଲରୁ ୫ଟି ଭାଲୁ ଛୁଆ ଉଦ୍ଧାର କରାଯାଇଥିଲା। ଏହା ସହ ଖୋର୍ଦ୍ଧା ବନାଞ୍ଚଳ ଗଡ଼ଖୋର୍ଦ୍ଧା ଗାଁରୁ ମଧ୍ୟ ଭାଲୁଛୁଆ ଉଦ୍ଧାର କରିଥିଲା ବନବିଭାଗ। ଗାଁର ବିପ୍ରଚରଣ ବେହେରାଙ୍କ ଘର ଭିତରକୁ ଦୁଇଟି ଭାଲୁଛୁଆ ପଶି ଆସିଥିଲେ। ପରେ ଖବର ପାଇ ବନ କର୍ମଚାରୀ ଭାଲୁଛୁଆକୁ ଉଦ୍ଧାର କରିବା ସହ ଏକ ଜାଲି ବାକ୍ସରେ ରଖିଥିଲେ। ପରେ ଉଦ୍ଧାର ହୋଇଥିବା ଏହି ଭାଲୁ ଛୁଆ ଦୁଇଟିକୁ ନନ୍ଦନକାନନରେ ଅନ୍ୟ ଭାଲୁ ଛୁଆଙ୍କ ସହ ରଖାଯାଇଥିଲା। ଏବେ ଉଦ୍ଧାର ହୋଇଥିବା ସମସ୍ତ ଭାଲୁ ଛୁଆ ନନ୍ଦନ କାନନରେ ରହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ନନ୍ଦନକାନନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ମଧ୍ୟ କରୋନା ଯୋଗୁ ପ୍ରାୟ ଛଅ ମାସରୁ ଅଧିକ ଦିନ ଧରି ନନ୍ଦନକାନନ ବନ୍ଦ ରହିଥିଲା।

Exit mobile version