Site icon Ethara Sambhala

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ ଯୋଜନାରେ ସାଢ଼େ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୯ ହଜାର କୋଟି ଟଙ୍କା ପଠାଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଯୋଜନାର ୮ମ କିସ୍ତିରେ ଓଡ଼ିଶାର ୨୭,୮୩,୨୦୯ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଟଙ୍କା ବ୍ୟାଙ୍କ ଖାତାରେ ପ୍ରଦାନ କରିଛନ୍ତି। ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସରକାରରେ କ୍ରମାଗତ ଭାବେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଉଛି। ଓଡ଼ିଶାର ଚାଷୀ ଭାଇମାନେ ପିଏମ୍ କିଷାନ ଯୋଜନା ଅନ୍ତର୍ଗତ ୮ଟି କିସ୍ତି ମାଧ୍ୟମରେ ୨ ହଜାର ଟଙ୍କା ଲେଖାଁଏ ହିସାବରେ ୩,୮୩୦.୮୫ କୋଟି ଟଙ୍କାର ସହାୟତା ରାଶି ପାଇ ଲାଭାନ୍ୱିତ ହୋଇଛନ୍ତି। ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦,୫୦,୧୦୩ ଚାଷୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ କେବଳ ସପ୍ତମ କିସ୍ତିରେ ୨୪,୭୦,୬୭୧ ଚାଷୀ ମୋଟ ୪୯୪.୧୩ କୋଟି ଟଙ୍କାର ସହାୟତା ରାଶି ପାଇଥିଲେ। ଏ ନେଇ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ଅଷ୍ଟମ କିସ୍ତିରେ ୨୭,୮୩,୨୦୯ ଚାଷୀ ଲାଭ ପାଇଛନ୍ତି ଯାହା ସପ୍ତମ କିସ୍ତିରୁ ୩,୧୨,୫୩୮ ଅଧିକ। ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ମୁଁ ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି ଯେ ପିଏମ କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭର୍ଚୁଆଲ କନଫରେନ୍ସିଂରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ସାମିଲ୍‌ ହୋଇଥିଲେ। ପିଏମ୍ କିଷାନ ଯୋଜନାରେ ଯୋଗ୍ୟ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ପ୍ରତି ଚାରି ମାସରେ ଗୋଟିଏ କିସ୍ତି ହିସାବରେ ମୋଟ୍ ୩ କିସ୍ତିରେ ଏହି ୬ ହଜାର ଟଙ୍କା ଦିଆଯାଉଛି। ପ୍ରତ୍ୟେକ କିସ୍ତିରେ ୨ ହଜାର ଟଙ୍କା ଦିଆଯାଉଛି ଏହି ଯୋଜନାରେ ଏବେ ସୁଦ୍ଧା ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଦିଆଯାଇ ସାରିଲାଣି।

Exit mobile version