Site icon Ethara Sambhala

ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ।ଦାବି ପୂରଣ ନହେଲେ କୋଭିଡ୍ ପରିଚାଳନା କାର୍ଯ୍ୟରେ ସରକାରଙ୍କୁ ସଂପୂର୍ଣ୍ଣ ରୂପେ ଅସହଯୋଗ କରିବୁ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡିଶା ର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ କିଭଳି ଅବହେଳିତ ଓ ଶୋଷିତ ହୋଇ ନ୍ୟାୟ ପ୍ରାପ୍ତିରୁ ବଞ୍ଚିତ ହେଉଛନ୍ତି,ସେ ସଂର୍ପକରେ ବିନମ୍ରତାର ସହ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରତିକାର ନିମନ୍ତେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ,ସଚିବ,ନିର୍ଦ୍ଦେଶକ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି।ବିଗତ କିଛି ଦିନ ହେବ ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲାରେ କୋଭିଡ୍ ପରିଚାଳନା ରେ ନିୟୋଜିତ ହୋଇଥିବା ଶିକ୍ଷକ ମାନଙ୍କର କୋରନା ଆକ୍ରାନ୍ତ ରେ ନିଧନ ହେଇଥିବାର ଖବର ସାମ୍ନାକୁ ଆସୁଛି।ଆଜି ମଧ୍ୟ ମାଲକାନଗିରି,ଝାରସୁଗୁଡା ଏବଂ ବରଗଡ ଜିଲ୍ଲା ର ଜଣିଏ ଲେଖାଏଁ ଶିକ୍ଷକ କୋରନା ଆକ୍ରାନ୍ତ ରେ ମୃତ୍ଯୁ ବରଣ କରିଛନ୍ତି ବୋଲି ବିଭିନ୍ନ ଖବର କାଗଜରେ ମୁଦ୍ରିତ ହୋଇଅଛି।ଯେଉଁ ଶିକ୍ଷକ ମାନଙ୍କର ନିଧନ ହୋଇଛି ସେମାନେ ସରକାର ଙ୍କର ନିର୍ଦ୍ଦେଶ କ୍ରମେ କୋଭିଡ୍ ପରିଚାଳନା କାର୍ଯ୍ୟ ରେ ନିୟୋଜିତ ଥିଲେ।ଯାହା ଫଳରେ ତିନି ତିନିଟି ପରିବାର ସର୍ବହରା ହୋଇଯାଇଛନ୍ତି।ତେଣୁ ଆମ ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ମୁଖ୍ୟ ଦାବି ଗୁଡିକ ହେଉଛି :-

  1. ସରକାର ଶିକ୍ଷକ ମାନଙ୍କୁ କୋଭିଡ୍-୧୯ ପରିଚାଳନା କାର୍ଯ୍ୟରେ ନିୟୋଜିତ କରିଥିଲେ ମଧ୍ୟ କୋରୋନା ଯୋଦ୍ଧା ଭାବେ ଘୋଷଣା କରିନାହାନ୍ତି।ସରକାରଙ୍କର ନିର୍ଦ୍ଦେଶରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସମସ୍ତ କାର୍ଯ୍ୟ କରୁଅଛନ୍ତି।ବିଭିନ୍ନ ବର୍ଡର ରେ ବାହାର ରାଜ୍ୟ ରୁ ଆସୁଥିବା ଲୋକ ମାନଙ୍କର ନାମ ପଞ୍ଜିକରଣ କାର୍ଯ୍ୟ,ବିଭିନ୍ନ ରେଳ ଷ୍ଟେସନ୍ ରେ ଆସୁଥିବା ଯାତ୍ରୀ ମାନଙ୍କୁ ଥର୍ମାଲ୍ ସ୍କ୍ରିନିଙ୍ଗ୍ କରିବା,ବିଭିନ୍ନ କ୍ବାରେନଟାଇନ୍ ସେଣ୍ଟର୍ କୁ ତଦାରଖ କରିବା ଭଳି ଆଦି କାର୍ଯ୍ୟରେ ସରକାରଙ୍କ ଦ୍ବାରା ନିୟୋଜିତ ଅଛନ୍ତି।ରାଜ୍ୟ ସରକାର ଗୃହ ବିଭାଗ ରେ କାର୍ଯ୍ୟ କରୁଥିବା ଏବଂ ସ୍ବାସ୍ଥ୍ୟ ବିଭାଗ ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବରେ ବିବେଚିତ କରି ସେମାନଙ୍କୁ ବୀମାରେ ସାମିଲ୍ କରାଇ ଅଛନ୍ତି।ନିକଟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ କୋଭିଡ୍ ଯୋଦ୍ଧା ଭାବରେ ଘୋଷଣା କରାଯାଇଛି ଏବଂ ତାଙ୍କୁ ବି ବୀମାରେ ସାମିଲ୍ କରାଯାଇଛି।ଯାହାକୁ ଆମ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସ୍ବାଗତ ଜଣାଇଛି।କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ସରକାର ସବୁ ସମୟରେ ହତାଦର କରିଆସୁଛନ୍ତି।ସରକାରଙ୍କର ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ବୈମାତୃକ ମନୋଭାବ କୁ ଗ୍ରହଣ କରାଯାଇପାରିବ ନାହିଁ।କୋଭିଡ୍ ପରିଚାଳନା କାର୍ଯ୍ୟରେ ଆମର ଶହ ଶହ ଶିକ୍ଷକ ନିୟୋଜିତ ହୋଇଥିବା ବେଳେ ଶିକ୍ଷକ ମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା ନକରିବା ଏବଂ ସ୍ବାସ୍ଥ୍ୟ ବୀମାରେ ସେମାନଙ୍କୁ ସାମିଲ୍ ନକରିବାକୁ ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ମହା ସଚିବ ଶ୍ରୀଯୁକ୍ତ ବିଶ୍ବଜିତ୍ ବିଶ୍ବାଳ ଦୃଢ ଭାବରେ ନିନ୍ଦା କରିବା ସହ ଏହାକୁ ବିରୋଧ କରିଛନ୍ତି।ଶିକ୍ଷକ ଏବଂ ତାଙ୍କ ପରିବାର ର ସୁରକ୍ଷା ଚିନ୍ତା ସରକାର କିପରି ଭାବରେ କରୁନାହାନ୍ତି ବୋଲି ରାଜ୍ୟ ସଂଘର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ଜେନା ସରକାରଙ୍କୁ ପ୍ରଶ୍ନ କରିଛନ୍ତି।ଏଥି ସହିତ ତୁରନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବା ପାଇଁ ଦାବି ଜଣାଇଅଛନ୍ତି।
  2. ପୂର୍ବ ବର୍ଷ ଯେତେବେଳେ କୋରନା ଆକ୍ରାନ୍ତ ବଢିବା ଆଶାରେ ବିଦ୍ୟାଳୟ କୁ ବନ୍ଦ କରିଦିଆଯାଇଥିଲା ଏହି କୋରନାକୁ ଆୟତ୍ତ କରିବା ନିମନ୍ତେ ମୁକାବିଲା ପାଇଁ ଶିକ୍ଷକ ମାନଙ୍କୁ ମଧ୍ୟ ବିଭିନ୍ନ କୋରନା ପରିଚାଳନା କାର୍ଯ୍ୟ ରେ ନିୟୋଜିତ କରାଯାଇଥିଲା।କିଛି ଜିଲ୍ଲାର ଶିକ୍ଷକ କୋଭିଡ୍ ପରିଚଳନା ରେ ନିୟୋଜିତ ଥିବାରୁ ତାଙ୍କର ମୃତ୍ଯୁ ଘଟିଥିଲା।ସରକାର ତାଙ୍କ ପରିବାରକୁ ଆଜି ଯାଏଁ ସରକାର ଚାକିରି ଟିଏ ନଦେଇ ପାରିଥିବାରୁ ସେମାନଙ୍କ ଘର ଉଜୁଡି ଯାଇଛି।କେତୋଟି ପରିବାର ବେସାହାରା ମଧ୍ୟ ହୋଇଯାଇଛନ୍ତି।ତେଣୁ ପୂର୍ବ ବର୍ଷକୁ ବିଚାରକୁ ନେଇ ସମସ୍ତ ଶିକ୍ଷକ କୋଭିଡ୍ ପରିଚାଳନା କାର୍ଯ୍ୟକୁ ଭୟ କରୁଛନ୍ତି।ଚୁକ୍ତିଭିତ୍ତିକ ଶିକ୍ଷକ କୌଣସି କାର୍ଯ୍ୟକୁ ଭୟ କରନ୍ତି ନାହିଁ।କିନ୍ତୁ ତାଙ୍କର ଯଦି କିଛି କ୍ଷତି ହୋଇଯାଉଛି ତାହେଲେ ସରକାର ତାଙ୍କ ପରିବାରର ଗୁଜୁରାଣ ମେଣ୍ଟେଇବା କଥା ବୁଝିବେ ତୋ ? ତେଣୁ ସରକାର ଘୋଷଣା କରନ୍ତୁ କୋଭିଡ୍ ପରିଚାଳନା କରୁ କରୁ ଯଦି କାହାରି ଅକାଳ ମୃତ୍ଯୁ ହୁଏ ତାହେଲେ ତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରିବେ।
  3. ପୂର୍ବ ବର୍ଷ କୋଭିଡ୍ ପରିଚାଳନାରେ ଶିକ୍ଷକ ମାନଙ୍କୁ ନିୟୋଜିତ କରାଯାଇଥିଲେ ବି ଟିକାକରଣ କ୍ଷେତ୍ରରେ ଶିକ୍ଷକ ମାନଙ୍କୁ କାହିଁକି ଉପେକ୍ଷା କରାଗଲା ?ଯେହେତୁ କୋଭିଡ୍ ପରିଚାଳନା ରେ ଶିକ୍ଷକ ମାନଙ୍କର ଆବଶ୍ୟକତା ରହୁଛି ତେଣୁ ସରକାର କିପରି ଏହା ଭୁଲିଗଲେ ? ତେଣୁ ସ୍ବାସ୍ଥ୍ୟକର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଯେପରି ସ୍ବତନ୍ତ୍ର ବ୍ୟବସ୍ଥା ଆୟୋଜନ କରି ଟିକାକରଣ କରାଯାଉଛି ଠିକ୍ ସେପରି ଶିକ୍ଷକ ମାନଙ୍କ ପାଇଁ ବି କରାଯାଉ। ସମସ୍ତ ଦାବି ପ୍ରତି ଦୃଷ୍ଟିଦେଇ ୦୭ ଦିନ ମଧ୍ୟରେ ଦୟାପୂର୍ବକ କାର୍ଯ୍ୟପନ୍ଥା ସରକାର ଗ୍ରହଣ କଲେ ରାଜ୍ୟ ସଂଘର ସମସ୍ତ କର୍ମକର୍ତ୍ତା ତଥା ଓଡିଶାର ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ଉପକୃତ ହେଵେ ନହେଲେ ଆମେ ବାଧ୍ୟ ହୋଇ କୋଭିଡ୍ ପରିଚାଳନା କାର୍ଯ୍ୟରେ ସଂପୂର୍ଣ୍ଣ ଅସହଯୋଗ କରିବୁ ବୋଲି ରାଜ୍ୟ ସଂଘର ସଂପାଦକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବେହେରା,କୋଷାଧ୍ଯକ୍ଷ ଅକ୍ଷୟ ସତନାମି,ଦାମଦର ମହାନନ୍ଦ,ସୁବାସ ଜେନା,ସୁବ୍ରତ ଲେଙ୍କା,ମାନସ ସେଠୀ,ନୟନ କୁମାର ପାଢୀ,ସୀମାନ୍ଚଳ ସାହୁ,ଆନନ୍ଦ ମହାନ୍ତି,ମାନସ କୁମାର ପୁହାଣ,ମନୋହର ଦାସ,ପ୍ରତାପ୍ ସାମଲ୍,ବନସ୍ତ କୌଶଲ୍ୟ,ଶୁଭଶ୍ରୀ ମହାରଣା,ସୁଶାନ୍ତ ଗୋଛି,ଦେବରାଜ୍ ସାହୁ,ରାଜେନ୍ଦ୍ର ମଲ୍ଲିକ୍ ଏବଂ ଦେବାଶିଷ୍ ଜେନା ଆଦି ସୂଚନା ଦେଇଛନ୍ତି।ଏହି ଦାବି କୁ ରାଜ୍ୟ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ଶ୍ରୀଯୁକ୍ତ ବିଜୟ ମଲ୍ଲ ମଧ୍ୟ ସମର୍ଥନ କରିଛନ୍ତି।ସେ କହିଛନ୍ତି ସରକାର ଖୁବ୍ ଶିଘ୍ର ଶିକ୍ଷକ ମାନଙ୍କର ଦାବି କୁ ଗ୍ରହଣ କରି ଏହାକୁ ପୂରଣ କରିବା ଉଚିତ୍।ଶିକ୍ଷକ ମାନଙ୍କର ସୁରକ୍ଷାକୁ ସରକାର ପ୍ରଧାନ୍ୟ ଦେବାର ଆବଶ୍ୟକତା ଅଧିକ।ତେଣୁ ସରକାର ତୁରନ୍ତ ଏହି ଦାବିକୁ ପୂରଣ କରନ୍ତୁ॥
Exit mobile version