Site icon Ethara Sambhala

ପ୍ରଶାନ୍ତଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି, ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋରଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କର ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି। ଏଥିସହ କ୍ୟାବିନେଟ ପାହ୍ୟା ଦେଇଛନ୍ତି। ଏହାକୁ ବେଆଇନ୍ ଦର୍ଶାଇ ଜଣେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ସୁପ୍ରିମକୋର୍ଟ ପଞ୍ଜାବ ସରକାରକୁ ସମନ କରି କେଉଁ ଆଧାରରେ ପ୍ରଶାନ୍ତ କିଶୋରଙ୍କୁ କ୍ୟାବିନେଟ ପାହ୍ୟା ଓ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଛି, ତା’ର ଜବାବ ମାଗିଛନ୍ତି। ନିକଟରେ ସମାନ ଆବେଦନକୁ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟଙ୍କ ଖାରଜ କରିଦେଇଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ।  ଜଷ୍ଟିସ ସଞ୍ଜୟ କିଶାନ କିଷାନ କୌଲ ଏବଂ ହେମନ୍ତ ଗୁପ୍ତା ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ପ୍ରଶାନ୍ତ କିଶୋର ଯେତେବେଳେ ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି, ସେତେବେଳେ ଏଭଳି ନିଯୁକ୍ତି କାହିଁକି ? ଲବ ସିଂ ଏବଂ ଅନ୍ୟ ଜଣେ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବାଲଟେଜ ସିଂ ସିଦ୍ଧୁ କୋର୍ଟରେ କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରାଗଲେ ମଧ୍ୟ ଲୋକଙ୍କ ଟିକସରେ କ୍ୟାବିନେଟ ପାହ୍ୟାରେ ରଖିବା ଠିକ୍ ନୁହେଁ। ଆବେଦନକାରୀ କହିଛନ୍ତି ଯେ ପ୍ରଶାନ୍ତ କିଶୋର ୨୦୧୭ରେ ପଞ୍ଜାବ କଂଗ୍ରେସ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ଆବେଦନକାରୀମାନେ ଦାବି କରିଛନ୍ତି ଅମରିନ୍ଦର ସିଂହ ଚଳିତ ବର୍ଷ ମାର୍ଚ୍ଚରେ ପ୍ରଶାନ୍ତ କିଶୋରଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ। ନିଯୁକ୍ତି ପାଇଁ କୌଣସି ବିଜ୍ଞପ୍ତି କିମ୍ବା ଇଣ୍ଟରଭ୍ୟୁ ହୋଇନାହିଁ, ଯାହାକି ସମ୍ବିଧାନର ଧାରା ୧୪ ଏବଂ ୧୬କୁ ଉଲ୍ଲଂଘନ କରୁଛି। ଅନ୍ୟପକ୍ଷରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ସମାନ ଆବେଦନକୁ ଖାରଜ କରିବା ବେଳେ କହିଥିଲେ ମୁଖ୍ୟମନ୍ତ୍ରୀ ଜଣେ ନିର୍ବାଚିତ ପ୍ରତିନିଧି। ରାଜ୍ୟରେ ସୁଶାସନ ପାଇଁ ସେ କାହାକୁ ପରାମର୍ଶଦାତା ଭାବେ ବାଛିବେ ସେହି କ୍ଷମତା ତାଙ୍କର ରହିଛି। ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଟିଏମସି ପାଇଁ ନିର୍ବାଚନ ରଣନୀତି ତିଆରି କରିଥିଲେ ପ୍ରଶାନ୍ତ କିଶୋର। ଆଉ ସେ ଦଳକୁ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ କରାଇଥିଲେ। ଏହାପରେ କିନ୍ତୁ ପ୍ରଶାନ୍ତ ଘୋଷଣା କରିଛନ୍ତି ଯେ ସେ ଆଉ ତାଙ୍କ ପେସାରେ ରହିବେନି। ଅର୍ଥାତ୍ ଆଗକୁ ପ୍ରଶାନ୍ତ କୌଣସି ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ନାହିଁ।

Exit mobile version