Site icon Ethara Sambhala

ଜରୁରୀ ନଥିଲେ ଅଭିଯୁକ୍ତଙ୍କୁ ଏବେ ଗିରଫ କରନି: ସୁପ୍ରିମକୋର୍ଟ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ୭ ବର୍ଷରୁ କମ ଦଣ୍ଡ ଥିବା ମାମଲାରେ ଫସିଥିବା ଅଭିଯୁକ୍ତଙ୍କୁ ଅତି ଜରୁରୀ ନଥିଲେ ଗିରଫ କରନାହିଁ। ସେହିପରି ଜେଲ ଓ ଥାନାରେ ଥିବା ଅନ୍ତେବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ଭିତରେ ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭିଡ଼ କମାଇବା ପାଇଁ ସୁପ୍ରିମକୋର୍ଟ ପୁଲିସ୍‌ ପ୍ରଶାସନ ପାଇଁ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅତି ଜରୁରୀ ନଥିଲେ କୌଣସି ଅଭିଯୁକ୍ତଙ୍କୁ ଗିରଫ ନ କରିବାକୁ କୋର୍ଟ କହିଛନ୍ତି। ଏଥିସହ ଜେଲ କଥା ବୁଝିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ଜରୁରୀ କାଳୀନ ଭିତ୍ତିରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବା କଏଦୀଙ୍କୁ ତୁରନ୍ତ ଚିହ୍ନଟ କରି ରିଲିଜ୍‌ କରନ୍ତୁ। ଜେଲ୍‌ରେ ଭିଡ଼ କମାଇବାକୁ ଗତବର୍ଷ ଯେଉଁମାନଙ୍କୁ ପାରୋଲରେ ଛଡ଼ା ଯାଇଥିଲା, ସେମାନଙ୍କୁ ମଧ୍ୟ ତୁରନ୍ତ ଏବର୍ଷ ୯୦ ଦିନ ପାଇଁ ଘରକୁ ଯିବାକୁ ଅନୁମତି ଦିଆଯାଉ। ଗତବର୍ଷ ମାର୍ଚ୍ଚ ୨୩ରେ ସୁପ୍ରିମକୋର୍ଟ ଜେଲ୍‌ରେ ଭିଡ଼ କମାଇବାକୁ ଉଚ୍ଚସ୍ତରୀୟ କମିଟି କଏଦୀମାନଙ୍କୁ ପାରୋଲରେ ଛାଡ଼ିବାକୁ କହିଥିଲେ। ଏବେ ଉକ୍ତ ନିର୍ଦ୍ଦେଶନାମା ଆଧାରରେ ସମସ୍ତଙ୍କୁ ୯୦ ଦିନ ପାଇଁ ପୁଣି ଛାଡ଼ିବାକୁ କହିଛନ୍ତି। ୭ ବର୍ଷରୁ କମ ଦଣ୍ଡ ଥିବା ମାମଲାରେ ଏହି ନିୟମ ଲାଗୁ ହେବ ବୋଲି କୋର୍ଟ କହିଥିଲେ। ଜେଲ୍‌ରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ କଏଦୀଙ୍କ ନିୟମତ ଟେଷ୍ଟ କରିବାକୁ କୋର୍ଟ କହିଛନ୍ତି। ସେହିପରି ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version