Site icon Ethara Sambhala

ପିପିଲି ଉପନିର୍ବାଚନ; ଆଜି ରୋଡ୍ ଶୋ’ କରିବେ ଧର୍ମେନ୍ଦ୍ର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି ଉପନିର୍ବାଚନ ପାଇଁ ଜୋର୍ ଧରିଛି ପ୍ରଚାର । ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳେ ଉତ୍ତରା ଛକରୁ ଗୁଡ଼ିଆ ପୋଖରୀ ଓ ଜୈଶପାଟଣାରେ ରୋଡ୍ ଶୋ’ କରିବେ । ଏହାସହ ବିଭିନ୍ନ ସ୍ଥାନରେ ରୋଡ୍ ଶୋ ଓ ସଭା କରିବା ପରେ ସଂଧ୍ୟାରେ ହରିରାଜପୁରରେ ହେବ ଶୋଭାଯାତ୍ରା । ଦିନକରେ ଧର୍ମେନ୍ଦ୍ର ଦାଣ୍ଡମୁକୁନ୍ଦପୁର, ସାତଶଙ୍ଖ, ପଟ୍ଟନାୟିକା ଆଦି ଅଞ୍ଚଳରେ ପଦଯାତ୍ରା ଓ ରୋଡ ଶୋ’ କରିବେ । ସେହିପରି ଗତକାଲି ବିଜେପି ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପରିବର୍ତ୍ତନ ପିପିଲିରୁ ଆରମ୍ଭ ହେବ ବୋଲି ସେ ଏହି ଅବସରରେ କହିଥିଲେ। ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ଓ ବିଜେପି ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। ଏହି ଆସନ ହାତେଇବା ପାଇଁ ଉଭୟ ନିଜ ହେଭିୱେଟ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି। ବିଜେଡି ନିଜ ଟ୍ରମ୍ପ କାର୍ଡ ଖେଳି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି। ଗତକାଲି, ପିପିଲିରେ ୬ଟି ସ୍ଥାନରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଭର୍ଚୁଆଲ ମୋଡ୍‌ରେ ନବୀନ ସମ୍ବୋଧନ କରିଥିଲେ। ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ସମ୍ବୋଧିତ କରି ନବୀନ କହିଥିଲେ ଯେ,କୋଭିଡ୍ କଟକଣା ଯୋଗୁ ପିପିଲିବାସୀଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ସମ୍ଭବପର ହୋଇନି। ପିପିଲିବାସୀ ତାଙ୍କୁ ବହୁତ ଭଲ ପାଆନ୍ତି, ସେ ଜାଣନ୍ତି। ସେ ପିପିଲି ଯାଇଥିଲେ, ଲୋକମାନେ ବହୁ ସଂଖ୍ୟା ତାଙ୍କୁ ଆଶୀର୍ବାଦ କରିବାକୁ ଆସିଥାନ୍ତେ । ତେବେ ଲୋକମାନଙ୍କୁ ଅସୁବିଧାରେ ପକାଇବାକୁ ସେ ଚାହୁଁନାହାନ୍ତି। ସେଥିପାଇଁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିପିଲି ଡେଲାଙ୍ଗର ବିକାଶ ଆହୁରି ଆଗକୁ ଆଗେଇବ। ଏହାର ବିକାଶ ଦାୟିତ୍ୱ ସେ ନିଜେ ନେବାକୁ ମଧ୍ୟ ଘୋଷଣା କରିଥିଲେ। କୋଭିଡ୍ ସ୍ଥିତି ହଟିବା ପରେ ସେ ନିଶ୍ଚିତ ପିପିଲି ଯାଇ ସେଠାର ଲୋକମାନଙ୍କୁ ଭେଟିବେ ବୋଲି କହିଥିଲେ।

Exit mobile version