Site icon Ethara Sambhala

ମହେନ୍ଦ୍ର ସିଂହ ଧୋନୀଙ୍କୁ ବଡ଼ ଦାୟିତ୍ୱ ଦେବେ ଝାଡ଼ଖଣ୍ଡ ସରକାର…!

ଏଥର ସମ୍ଭାଳ ବ୍ୟୁରୋ (ରାଞ୍ଚି) – ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବଡ଼ ଦାୟିତ୍ୱ ମିଳିପାରେ। ଝାଡ଼ଖଣ୍ଡ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି। ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଏହି କିମ୍ୱଦନ୍ତୀ ଖେଳାଳି ଆଗାମୀ ଦିନରେ ଝାଡ଼ଖଣ୍ଡର କୃଷି ବିଭାଗର ବ୍ରାଣ୍ଡ ଆମ୍ୱାସଡ଼ାର ହୋଇପାରନ୍ତି। ଗୁରୁବାର ଝାଡ଼ଖଣ୍ଡ ସରକାରର କୃଷି ବିଭାଗର ଏକ ସମୀକ୍ଷା ବୈଠକ ବସିଥିଲା। ଏଥରେ କୃଷି ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଧୋନୀଙ୍କୁ କୃଷିର ବ୍ରାଣ୍ଡ ଆମ୍ୱାସଡାର କରାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଫଟାଫଟ କ୍ରିକେଟ ଆଇପିଏଲ ପାଇଁ ବ୍ୟସ୍ତ ରହିଥିବା ସିଏସକେ  କ୍ୟାପଟେନ ଏହାକୁ ନେଇ କୌଣସି ମତ ରଖିନାହାନ୍ତି।ଗତକାଲି କୃଷି ବିଭାଗର ସମୀକ୍ଷା ବୈଠକ ପରେ କୃଷି ମନ୍ତ୍ରୀ ବାଦଲ ପତ୍ରଲେଖ ଗଣମାଧ୍ୟମକୁ କହିଥିଲେ ଯେ ଟିମ୍ ଇଣ୍ଡିଆର  ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଚାଷବାସରେ ମନୋନିବେଶ କରି ସଫଳ ହୋଇଛନ୍ତି। ଏହା କୃଷି ଜଗତ ପାଇଁ ଗର୍ବର କଥା। ତେଣୁ ମହେନ୍ଦ୍ର ସିଂହ ଧୋନୀଙ୍କୁ କୃଷି ବିଭାଗର ବ୍ରାଣ୍ଡ ଆମ୍ବାସାଡର କରିବା ପାଇଁ ନିଷ୍ପତ୍ତି ନେଇଛି। ସେ କହିଥିଲେ ଯେ ସମୟ ପାଇବା ମାତ୍ରେ ବିଭାଗର ଅଧିକାରୀମାନେ ଧୋନୀଙ୍କୁ ଭେଟିବେ ଏବଂ ତାଙ୍କୁ ବିଭାଗର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଅନୁରୋଧ କରିବେ। ସୂଚନାଯୋଗ୍ୟ, ଆଜିଠାରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ସିଜନ ୧୪ ଆରମ୍ଭ ହେବାକୁ ଯାଉଛି। ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଗତ ସିଜନରେ ପ୍ରଥମ ଥର ପାଇଁ ତାଙ୍କ ଦଳ ପ୍ଲେ-ଅଫ୍ ଖେଳିବାରେ ବିଫଳ ହୋଇଥିଲା।

Exit mobile version