Site icon Ethara Sambhala

ସଂପୂର୍ଣ୍ଣ ଲକଡାଉନ ପାଇଁ ପ୍ରସ୍ତାବ ଦେଲେ ମନ୍ତ୍ରୀ, କାଲି ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି …!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ମହାମାରୀ କରୋନା ମହାରାଷ୍ଟ୍ର ସମେତ ସାରା ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ବିଗୁଡ଼ୁଥିବାରୁ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟ ୱାଡେଟିୱାର ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବା ସପକ୍ଷରେ ମତ ଦେଇଛନ୍ତି। ଏବେ ରାଜ୍ୟର କରୋନା ଗ୍ରାଫ ଉପର ମୁହାଁ ହୋଇଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସ୍ଥିତି ଆହୁରି ଉତ୍କଟ ହେବାର ଆଶଙ୍କା ରହିଛି। ଏହି କାରଣରୁ ମନ୍ତ୍ରୀ ବିଜୟ ପୂରା ମହାରାଷ୍ଟ୍ରକୁ ଲକଡାଉନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମହାମାରୀ ଚେନ୍‌କୁ ବ୍ରେକ୍‌ କରିବାକୁ ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ହେବା ଜରୁରୀ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆଜି ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ବୈଠକରେ ମୁଁ ସଂପୂର୍ଣ୍ଣ ଲକଡାଉନର ପ୍ରସ୍ତାବ ଦେଇଛି। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେବେ। କାରଣ କାଲି ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା ସେ କରିବାକୁ ଯାଉଛନ୍ତି। ଏହି ସମୟରେ ସଂପୂର୍ଣ୍ଣ ଲକଡାଉନ ଉପରେ ନିଷ୍ପତ୍ତି ନିଆଯିବ। ପ୍ରତିଦିନ ରାଜ୍ୟରେ ୫୦ରୁ ୬୦ ହଜାର ନୂଆ ମାମଲା ଆସୁଛି। ଆଜି ମହାରାଷ୍ଟ୍ରରେ ଆକ୍ଟିଭ କେସ୍‌ ୫.୩୧ ଲକ୍ଷ ରହିଛି। ଯଦି ଏମିତି ଧାରା ଜାରି ରହିବ, ତା’ହେଲେ ଆକ୍ଟିଭ କେସ୍‌ ୧୦ ଲକ୍ଷ ଛୁଇଁଯିବ। ଏହାକୁ ରୋକିବାକୁ ହେଲେ ଆମକୁ ଭିଡ଼ କମାଇବାକୁ ପଡ଼ିବ। ଅଧା ଦୋକାନ ଓ ପ୍ରତିଷ୍ଠାନକୁ ଖୋଲି ଆମେ କେବେ ହେଲେ କରୋନା ଚେନ୍‌କୁ ଭାଙ୍ଗି ପାରିବା ନାହିଁ। ତେଣୁ ଅତିକମରେ ୩ ସପ୍ତାହ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ ହେବ। ଏବେ ସପ୍ତାହାନ୍ତ ଲକଡାଉନ ଲାଗୁ କରାଯାଇଛି। ହେଲେ ଲୋକମାନେ ପରିବା ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଦୋକାନରେ ଭିଡ଼ କରୁଛନ୍ତି। ତେଣୁ ଲୋକଙ୍କ ଘରେ ପରିବା ପହଞ୍ଚାଇବାକୁ ବ୍ୟବସ୍ଥା କରିବାକୁ ପଡ଼ିବ। ମୁଁ ମୋର କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ସାରିଛି। ଏବେ ସେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ବିଜୟ କହିଛନ୍ତି।

Exit mobile version