Site icon Ethara Sambhala

ପିପିଲି ନିର୍ବାଚନ; ୧୫ରେ ପ୍ରଚାର କରିବେ ନବୀନ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବାବେଳେ ଶେଷଦିନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ପିପିଲିରେ ୧୭ତାରିଖରେ ଭୋଟ୍ ହେବାକୁ ଥିବାବେଳେ ୧୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରଚାର ଶେଷ ହେବ ଓ ସେହିଦିନ ହିଁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆସନ୍ତା ୧୫ତାରିଖରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ। ପିପିଲି ନିର୍ବାଚନ ଜିତିବା ନୁହେଁ ବରଂ ବିଜୟ ଭୋଟ୍ ବ୍ୟବଧାନକୁ ଅଧିକ କରିବା ପାଇଁ ଶେଷଦିନରେ ନବୀନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି । ଅବଶ୍ୟ ନବୀନ ବ୍ୟକ୍ତିଗତ ଭାବେ ପିପିଲି ନିର୍ବାଚନ ମଣ୍ଡଳୀକୁ ଯାଇ ପ୍ରଚାର କରିବେ ନା ଭର୍ଚୁଆଲ ମୋଡ୍‌ରେ କରିବେ ତାହା ସ୍ଥିର ହୋଇନି। ତେବେ ସୂତ୍ର ଅନୁସାରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ। ଦଳ ଏବେ ନିଜର ଆଗଧାଡ଼ିର ନେତାମାନଙ୍କୁ ପିପିଲିରେ ପଂଚାୟତ ଓ ଏନଏସି ଦାୟିତ୍ୱ ଦେଇଥିବାରୁ ଏଲଇଡି ଲଗାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସିଧାସଳଖ ପ୍ରସାର କରିବାକୁ ଯୋଜନା ଚାଲିଛି । ଭର୍ଚୁଆଲ ମୋଡରେ ପିପିଲି ଓ ଡେଲାଙ୍ଗରେ ବ୍ଲକସ୍ତରରେ ଦୁଇଟି ସାଧାରଣ ସଭା ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ସଭା କରିବା ନେଇ ଦଳ ଏବେ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଆସନ୍ତା ୪-୫ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ନବୀନଙ୍କ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତକାଲି ପିପିଲି ନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ସପକ୍ଷରେ ପ୍ରଚାର ନବୀନ ପଟ୍ଟନାୟକ କରିବେ ବୋଲି ଦଳ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା।

Exit mobile version