Site icon Ethara Sambhala

କଂଗ୍ରେସ ଛାଡ଼ିଲେ ସ୍ମୃତିରେଖା: କହିଲେ- ରାଜ୍ୟରେ ବିଜେଡିର ‘ବି ଟିମ୍ ’ ହେଉଛି କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କଂଗ୍ରେସ ନେତ୍ରୀ ତଥା ଧର୍ମଶାଳାରୁ କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ପହି ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରୁ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ସମେତ ସବୁ ପଦପଦବୀରୁ ଇସ୍ତଫା ଦେଇଛନ୍ତି ଓ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଶାସକ ବିଜେଡି ସହ କଂଗ୍ରେସ ଅଘୋଷିତ ମେଣ୍ଟ କରିଛି ଓ ପିପିଲି ନିର୍ବାଚନରେ ମଧ୍ୟ କଂଗ୍ରେସ ଭିତରି ବୁଝାମଣା କରିଛି ବୋଲି ସ୍ମୃତିରେଖା ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପହି କହିଛନ୍ତି ଯେ, କଂଗ୍ରେସ ସଂଗଠନ ରାଜ୍ୟରେ ନିମ୍ନଗାମୀ ହେଉଥିବାବେଳେ ଜଣେ ମହିଳା ହୋଇ ସେ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢ଼ିବାକୁ ସାହାସ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସର ଉଚ୍ଚାରଣ ଓ ଆଚରଣ ତାଙ୍କୁ ବ୍ୟଥିତ କରିଥିଲା। ଧର୍ମଶାଳା ନିର୍ବାଚନମଣ୍ଡଳୀର କେତେକ ପ୍ରମୁଖ ବିବାଦୀୟ ଘଟଣା ଯଥା ସ୍ମିତାରାଣୀ ହତ୍ୟାକାଣ୍ଡ ଓ ମାମୁଭଣଜା କୃତ୍ରିମ ଘାଇ ହେବା ଓ ବେଆଇନ ଖଣି ଖନନ ମାମଲାରେ ସେ ସ୍ୱର ଉଠାଉଥିବାବେଳେ କଂଗ୍ରେସ ତାଙ୍କୁ ସହଯୋଗ କଲାନି। ଏପରିକି ଲୋକଙ୍କ ସ୍ୱାର୍ଥ ପାଇଁ ସେ ଏସବୁ ପ୍ରସଙ୍ଗ ଉଠାଉଥିବାବେଳେ କଂଗ୍ରେସର ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ମଧ୍ୟ ଏନେଇ ତାଙ୍କର କଥାକୁ ଅଣଦେଖା କଲେ। ତେଣୁ ଏଥିରୁ କଂଗ୍ରେସ ଦଳ ରାଜ୍ୟରେ ଶାସକ ବିଜେଡି ସହ ରହିଥିବା ସେ ସ୍ପଷ୍ଟ ଅନୁଭବ କରିଥିଲେ। ପିପିଲି ଉପନିର୍ବାଚନ ପ୍ରଚାର ଚାଲିଥିବାବେଳେ କଂଗ୍ରେସର ଅବସ୍ଥା କ’ଣ ସହଜରେ ଜଣାପଡ଼ୁଛି। ପିପିଲିରେ ବି କଂଗ୍ରେସ ଭିତରି ବୁଝାମଣା କରିଛି। ଓଡ଼ିଶାରେ ଯେଉଁ କଂଗ୍ରେସ ୨ ନମ୍ବରରେ ଥିବା ଏବେ ସେ ୩ ନମ୍ବର ଦଳରେ ପହଂଚିଛି। ଓଡ଼ିଶା ମାଟିରେ କଂଗ୍ରେସ ଆଉ ଆଗକୁ ବଢ଼ିପାରିବ ନାହିଁ ବୋଲି ସେ ଅନୁଭବ କରୁଛନ୍ତି। ବିଧାନସଭା ଭିତରେ ହେଉ କି ବାହାରେ ବିଜେଡି ସହ ରାଜ୍ୟରେ କଂଗ୍ରେସ ଅଘୋଷିତ ମେଣ୍ଟ କରିବା ଭଳି ମନେହେଉଛି। ବିଜେଡିର ବି ଟିମ୍ ଭଳି କାମ କରୁଛି। ବାଲେଶ୍ୱର ଉପନିର୍ବାଚନରେ କଂଗ୍ରେସକୁ ମାତ୍ର ୪୯୮୩ଖଣ୍ଡ ଭୋଟ୍ ମିଳିଲା, କିନ୍ତୁ ମାତ୍ର ବର୍ଷକ ପୂର୍ବରୁ ସାଧାରଣ ନିର୍ବାଚନରେ ଦଳ ୧୯୭୦୪ଟି ଭୋଟ୍ ପାଇଥିଲା। ତେଣୁ କେମିତି କଂଗ୍ରେସକୁ ଭରସା କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେଇହେବ। ଯେଉଁଠି କଂଗ୍ରେସ ନିଜେ ଶାସକ ବିଜେଡିର ଇଙ୍ଗିତରେ କାମ କରୁଛି ଓ ବି-ଟିମ୍ ପାଲଟିଛି। ତେଣୁ ଧର୍ମଶାଳାରେ ଯେଉଁ ମନମୁଖୀ ନେତୃତ୍ୱ ଚାଲିଛି ତା’ ବିରୁଦ୍ଧରେ ଲଢ଼େଇ ଜାରି ରଖିବାକୁ ହେଲେ କଂଗ୍ରେସରେ ରହି ସେବା ଯୋଗାଇବା ସମ୍ଭବପର ନୁହେଁ। ତେଣୁ ଧର୍ମଶାଳାବାସୀଙ୍କ ସ୍ୱାର୍ଥ ପାଇଁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ସ୍ମୃତିରେଖା ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଜଣାପଡ଼ିଛି।

Exit mobile version