Site icon Ethara Sambhala

ମିଥୁନ ଚକ୍ରବର୍ତ୍ତୀ ନିର୍ବାଚନ ଲଢ଼ିବେ କି ?

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/କୋଲକାତା)- ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଉପସ୍ଥିତ ହୋଇ ବିଜେପିରେ ସାମିଲ୍ ହୋଇଛନ୍ତି ପୂର୍ବତନ ଟିଏମସି ନେତା ତଥା ବଲିଉଡ କଳାକାର ମିଥୁନ ଚକ୍ରବର୍ତ୍ତୀ। ରାଲିରେ ଲୋକଙ୍କୁ ଉଦବୋଧନ ଦେଇ ମିଥୁନ ବିଜେପି ପାଇଁ ଆଗାମୀ ଦିନରେ ଜୋରଦାର ପ୍ରଚାର କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି। ରାଜ୍ୟରେ ‘ମହାଗୁରୁ’ ଭାବରେ ପରିଚିତ ଏହି କଳାକାରଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଛି। ଅନ୍ୟପଟେ ଟିଏମସି ମଧ୍ୟ ଅନେକ ବେଙ୍ଗଲୀ କଳାକାରଙ୍କୁ ପ୍ରାର୍ଥୀ କରିଛି। ତେଣୁ ବିଜେପି ମଧ୍ୟ ମିଥୁନଙ୍କ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟଭର୍ଗିଆ। ଶୁକ୍ରବାର ମିଡିଆକୁ ପ୍ରତିକ୍ରିୟା ଦେଇ ମିଥୁନ ଚଳିତ ବିଧାନସଭାରେ ପ୍ରାର୍ଥୀ ହେବେ କି ନାହିଁ ଚାଲିଥିବା ପ୍ରସଙ୍ଗର ପୂର୍ଣ୍ଣଛେଦ ପକାଇଛନ୍ତି। ସେ କହିଛନ୍ତି ମିଥୁନ ନିର୍ବାଚନ ଲଢ଼ିବେ ନାହିଁ। ସେ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଅଛନ୍ତି କି ବୋଲି ପଚରାଯାଇଥିଲା ହେଲେ ସେ ଜବାବରେ ନାଁ କହିଛନ୍ତି। ତେବେ ଆଗାମୀ ଦିନରେ ସେ ନିର୍ବାଚନ ଲଢ଼ିବେ କି ନାହିଁ ସେ ବାବଦରେ ପାର୍ଟି ବିଚାର କରିବ ବୋଲି କୌଳାଶ ବିଜୟଭର୍ଗିଆ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଆଉ କିଛି ଦିନ ପରେ ପ୍ରଥମ ପର୍ଯ୍ୟାୟ ଆସନ ପାଇଁ ଭୋଟ୍ ପଡ଼ିବ। ହେଲେ ଏଯାବତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି। ଅନ୍ୟପଟେ ରାଜ୍ୟରେ 200 ଆସନ ବିଜୟୀ ହେବାର ଲକ୍ଷ୍ୟ ରଖିଛି ବିଜେପି। ଟିଏମସି ବିଜେପି ଉପରେ ଅଭିଯୋଗ ଆଣି କହିଛି ବାହାର ଲୋକ ବେଙ୍ଗଲୀଙ୍କୁ ଶାସନ କରିପାରିବେ ନାହିଁ। ଆଉ ବିଜେପି ମଧ୍ୟ କହିଛି ବେଙ୍ଗଲୀଙ୍କୁ ବେଙ୍ଗଲୀ ହିଁ ଶାସନ କରିବେ। ହେଲେ କିଏ ସେହି ବିଜେପି ନେତା ଯିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏଯାବତ ଜଣାପଡ଼ିନାହିଁ। ବିଭିନ୍ନ ସମୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ହୋଇଛି ହେଲେ ସେ ଏଯାବତ ବିଜେପିରେ ସାମିଲ୍ ହୋଇ ନାହାନ୍ତି। ଆଗାମୀ ଦିନରେ କିନ୍ତୁ ରାଜନୀତିକୁ ଆସିବାକୁ ଇଚ୍ଛୁକ ବୋଲି ଗାଙ୍ଗୁଲି ମିଡିଆକୁ କହି ସାରିଛନ୍ତି।

Exit mobile version