Site icon Ethara Sambhala

ଆଜି ଶିବରାତ୍ରୀ, ମହାଦେବଙ୍କ ପାଇଁ ମହା ଆରାଧନା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମହାଦେବଙ୍କ ପାଇଁ ମହା ଆରାଧନା। ଆଜି ଶିବରାତ୍ରୀ ଉପଲକ୍ଷେ  ରାଜ୍ୟର ଶୈବ ପୀଠରେ ଚାଲିଛି ଭୋଲା ବାବାଙ୍କ ପୂଜାର୍ଚ୍ଚନା। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ସମେତ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଚଳଚଞ୍ଚଳ ରହିଛି। କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି। ବାବା ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ସେହିପରି ପୁରୀ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ଚିହ୍ନ ଦେବାକୁ ଯାଇ ଗାର ଟାଣିଛି ପ୍ରଶାସନ। ଭୋର୍ ୪ଟାରେ ଏଠି ମହାଦୀପ ଉଠିବ।କଟକର ଧବଳେଶ୍ୱର ପୀଠରେ କିନ୍ତୁ ଏବର୍ଷ ଜାଗର ଯାତ୍ରାରେ ଲାଗିବନି ଗହଳି ଚହଳି। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ଭକ୍ତମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ମନ୍ଦିର ଭିତରେ ଧବଳେଶ୍ୱରଙ୍କ ନୀତିକାନ୍ତି ସ୍ୱାଭାବିକ ଭାବେ କରାଯିବା ସହ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି ହେବ। ଏଠାରେ ରାତି ଗୋଟାଏରେ ମହାଦୀପ ଉଠିବ। ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠରେ ବି ଏଥର ବିନା ଭକ୍ତରେ ହେବ ଜାଗର ଯାତ୍ରା। ଭିଡ ଏଡ଼ାଇବାକୁ  ଏଠି ମଧ୍ୟ ୧୪୪ ଧାରା ଜାରି ହୋଇଛି। ଢେଙ୍କାନାଳର କପିଳାସ ପୀଠରେ ରାଜ୍ୟ ଓ ଜିଲ୍ଲା ବାହାର ଭକ୍ତଙ୍କୁ ବାରଣ କରାଯାଇଛି। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଜିଲ୍ଲା ଭିତରର ଭକ୍ତ ମନ୍ଦିର ଭିତରକୁ ଯାଇପାରିବେ। ଏଠାରେ ଭୋର ସାଢେ ୪ଟାରେ ମହାଦୀପ ଉଠିବ।

Exit mobile version