Site icon Ethara Sambhala

ମାଟିରେ ମିଶିଲା ୧୦୦ ବର୍ଷ ପୁରୁଣା ବେହେରା ସାହି ବସ୍ତି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/କଟକ) – ଉଚ୍ଛେଦ ହେବ ୧୦୦ ବର୍ଷର ପୁରୁଣା ମାଲଗୋଦାମ ସ୍ଥିତ ବେହେରା ସାହିବସ୍ତି। ଏସ୍‌ସିବି ମେଡିକାଲ ସଂଯୋଗ ରାସ୍ତାର ନବୀକରଣ ଲାଗି ମାଟିରେ ମିଶିବ ପୁରୁଣା ବସ୍ତି। ତା’ସହିତ ମାଲଗୋଦାମର କିଛି ଅଂଶ। ସରକାରଙ୍କ ଏହି ପ୍ରସ୍ତାବରେ ବସ୍ତି ବାସିନ୍ଦାମାନେ ରାଜି ହୋଇଥିଲେ। ହେଲେ ଥଇଥାନ ପାଇଁ ବାରମ୍ୱାର ସ୍ଥାନ ପରିବର୍ତ୍ତନକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ବସ୍ତି ବାସିନ୍ଦା। ଉଚ୍ଛେଦ ହେବାକୁ ଥିବା ବେହେରା ସାହିବସ୍ତିକୁ ମାଲଗୋଦାମ ନିକଟ ଖାଲି ସ୍ଥାନରେ ଥଇଥାନ କରିବାକୁ ଯୋଜନା କରାଯାଇଥିଲା। ପରେ ଏହାକୁ ବାତିଲ କରାଯାଇଥିଲା। ଓଏମ୍‌ପି ଛକ ୪୨ ମୌଜା ବ୍ରିଜ ନିକଟ ବାଲିସାହିରେ ବେହେରା ସାହିକୁ ଥଇଥାନ କରିବାକୁ ଯୋଜନା କରାଯାଇଥିଲା। ମାତ୍ର ବାଲି ସାହିରେ ମଧ୍ୟ କେଉଁଠି ରଖାଯିବ ତାହା ସ୍ଥିର ହୋଇପାରୁନାହିଁ। ଉଚ୍ଛେଦ ସମୟ ପାଖେଇ ଆସୁଥିବାରୁ କେଉଁଠି ଓ କିପରି ରହିବେ ତାହାକୁ ନେଇ ଚିନ୍ତାରେ ପଡ଼ିଗଲେଣି ବସ୍ତିବାସିନ୍ଦା। ସେପଟେ ବସ୍ତି ଉଚ୍ଛେଦ ହୋଇ ଦୂର ସ୍ଥାନକୁ ନେଇଗଲେ ବସ୍ତି ପିଲାଙ୍କ ପାଠପଢାରେ ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। କେବଳ ବସ୍ତି ବାସିନ୍ଦା ତାହା ନୁହେଁ, ବରଂ ମାଲଗୋଦାମର ପ୍ରଭାବିତ ଦୋକାନୀମାନଙ୍କୁ କେଉଁଠି ରଖାଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇପାରୁନାହିଁ। ଏସ୍‌ସିବି ମେଡିକାଲର ପ୍ରଥମ ପର୍ଯ୍ୟାୟ ଯୋବ୍ରାଠାରୁ ରାଣୀହାଟ ଯାଏଁ ରାସ୍ତା ସମ୍ପସାରଣ ଶେଷ ହୋଇଛି। ମାତ୍ର ରାଣୀହାଟରୁ ମାତୃଭବନ ଯାଏଁ ତାଳଦଣ୍ଡା କେନାଲର ରାସ୍ତା ପାର୍ଶ୍ୱ ଦ୍ୱିତୀୟ ପର୍ଯ୍ୟାଯରେ ସମ୍ପ୍ରସାରଣ ହେବ। ତେଣୁ ଅସନ୍ତୁଷ୍ଟ ଓ ଦ୍ୱନ୍ଦ୍ୱରେ ରହିଥିବା ବସ୍ତି ବାସିନ୍ଦାଙ୍କୁ ବୁଝାଇବା ଲାଗି ଖୋଦ୍‌ ଜିଲ୍ଲାପାଳ ଭାବନୀ ଶଙ୍କର ଚଇନୀ ଓ ସିଏମସି କମିଶନର ଅନନ୍ୟା ଦାସ ପହଞ୍ଚିଥିଲେ। ତେବେ ପ୍ରଭାବିତ ବ୍ୟବସାୟୀ ଓ ବସ୍ତି ବାସିନ୍ଦାଙ୍କ ଲାଗି ଭିନ୍ନ ସ୍ଥାନରେ ସମସ୍ତ ବ୍ୟବସ୍ଥା ଓ କ୍ଷତିପୂରଣ ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ଏପିରିକି ବସ୍ତି ପିଲାଙ୍କ ପାଠ୍ୟକ୍ରମରେ ଯେପରି କୌଣସି ପ୍ରଭାବ ନ ପଡ଼ିବ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ଭାବନୀ ଶଙ୍କର ଚଇନୀ।

Exit mobile version