Site icon Ethara Sambhala

ଏମରଜେନ୍ସି ଭୁଲ୍ ନିଷ୍ପତ୍ତି ଥିଲା, ଏବେ ଆରଏସଏସ କ’ଣ କରୁଛି କହିଲେ ରାହୁଲ୍ ।

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶରେ ଏମରଜନ୍ସି ଲାଗୁ କରିବା ନିଷ୍ପତ୍ତି ଭୁଲ୍ ଥିଲା। କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ନିଜେ ଏହା ସ୍ୱୀକାର କରିଛନ୍ତି। ଦ୍ୱିତୀୟ ଥର ପାଇଁ ରାହୁଲ୍ ଗାନ୍ଧୀ ଏମରଜେନ୍ସି ନିଷ୍ପତ୍ତିକୁ ଭୁଲ୍ ବୋଲି ସ୍ୱୀକାର କରିଛନ୍ତି। ହେଲେ ତାଙ୍କ ଦଳ କଂଗ୍ରେସ କୌଣସି ସାମ୍ୱିଧାନିକ ଢ଼ାଞ୍ଚାକୁ ଦଖଲ କରିବାକୁ ଚେଷ୍ଟା କରିନାହିଁ। ଏକ ଓ୍ୱେବିନାରରେ ସାମିଲ୍ ହୋଇ ରାହୁଲ୍ ଗାନ୍ଧୀ ଆରଏସଏସ ଏବଂ ଶାସକ ଦଳ ବିଜେପିକୁ ନେଇ ଏଭଳି ମତ ରଖିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଏମରେଜନ୍ସି ଲଗାଇଥିଲେ। ବିଭିନ୍ନ ସମୟରେ ଏମରଜେନ୍ସିକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରିଛି। ଏବେ ଏହାକୁ ରାହୁଲ୍ ଗାନ୍ଧୀ ଏକ ଓ୍ୱେବିନାରରେ ସାମିଲ୍ ହୋଇ ନିଜ ଜେଜେ ମା’ଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଭୁଲ୍ ବୋଲି ସ୍ୱୀକାର କରିଛନ୍ତି। କରୋନେଲ ବିଶ୍ୱବିଦ୍ୟାଳୟର ପ୍ରଫେସର କୌସିକ ବାସୁଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କଥା ହେବା ବେଳେ ରାହୁଲ୍ ଗାନ୍ଧୀ ଏହା କହିଛନ୍ତି।ତେବେ ଏବେର ସରକାର ଉପରେ ମତ ରଖିବାକୁ ଯାଇ ରାହୁଲ୍ ଗାନ୍ଧୀ କହିଛନ୍ତି, ଏମରଜେନ୍ସି ବେଳେ ଯାହା ହୋଇଥିଲା ଭୁଲ୍ କିନ୍ତୁ ଏବେ ଦେଶରେ ବିଭିନ୍ନ ସାମ୍ୱିଧାନିକ ଅନୁଷ୍ଠାନକୁ ଦଖଲକୁ ନେବାକୁ ଚେଷ୍ଟା କରାଯାଉଛି। ଆରଏସଏସ ଏଭଳି କରୁଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ୍। ହେଲେ କଂଗ୍ରେସ ଏଭଳି କରିବାରେ ବିଶ୍ୱାସ ରଖେନି। ବ୍ୟକ୍ତିଗତ ଭାବରେ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ନିଜେ ଗୁରୁତ୍ୱ ଦିଅନ୍ତି ବୋଲି ରାହୁଲ୍ କହିଛନ୍ତି। ତେବେ ରାହୁଲ୍ ଗାନ୍ଧୀ ଅନ୍ତିମଥର ପାଇଁ ୨୦୧୯ ସାଧାରଣ ନିର୍ବାଚନ ବେଳେ ଏମରଜେନ୍ସିକୁ ଭୁଲ୍ ବୋଲି କହିଥିଲେ। ଏକ ସାକ୍ଷାତକାରରେ ରାହୁଲ୍ ଏମରଜେନ୍ସି ପାଇଁ କ୍ଷମାପ୍ରାର୍ଥନା କରିଥିଲେ ବୋଲି ଇଣ୍ଡିଆ ଟୁଡେର ଏକ ରିପୋର୍ଟରୁ ଜଣାପଡ଼ିଛି।ସେହିପରି ଜାନୁଆରୀ ୨୪, ୧୯୭୮ରେ ମହାରାଷ୍ଟ୍ରର ଏକ ରାଲିରେ ଯୋଗଦେଇ ଇନ୍ଦିରା ଗାନ୍ଧୀ ୧୯୭୫ରେ ତାଙ୍କ ଦ୍ୱାରା ନିଆଯାଇଥିବା ଏମରଜେନ୍ସି ନିଷ୍ପତ୍ତି ପାଇଁ କ୍ଷମାପ୍ରାର୍ଥନା କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି, “ଆଗାମୀ ଦିନରେ ଯଦି ଆମେ ନିର୍ବାଚନରେ ବିଜେପିକୁ ପରାସ୍ତ କରିବୁ ତାପରେ ବି ଆମେ ସେମାନଙ୍କ ଲୋକମାନଙ୍କଠାରୁ ନିସ୍ତାର ପାଇବୁ ନାହିଁ। ଯେଉଁମାନେ ସାମ୍ୱାଧାନିକ ସଂସ୍ଥାର ପ୍ରମୁଖ ଅଧିକାରୀ ରହିଛନ୍ତି।” ଆରଏସଏସ ନାମକ ଏକ ବଡ ମା ଅନୁଷ୍ଠାନ ଅଛି ଯାହା ସମସ୍ତ ସାମ୍ୱାଧାନିକ ସଂସ୍ଥାରେ ମୁଣ୍ଡ ପୁରାଉଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟପାଳିକା, ଗଣମାଧ୍ୟମ, ଅମଲାତନ୍ତ୍ର, ନିର୍ବାଚନ ଆୟୋଗ, ପ୍ରତ୍ୟେକ ଅନୁଷ୍ଠାନରେ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଥିବା ବ୍ୟକ୍ତି ନିୟୋଜିତ ହେଉଛନ୍ତି।

Exit mobile version