ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆମ ଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିନିମନ୍ତେ ସନ୍ତୁଳିତ ଖାଦ୍ୟ ସହ ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ ରଖିବାକୁ ପରାମର୍ଶ ଦିଆଯାଇଥାଏ। ଏବେ ଶୀତ ଦିନ ଥିବାରୁ ସାଧାରରତଃ ଗରମାଗରମ ଚଟପଟା ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ ଶୀତ ଦିନେ ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବା ଏକ ବଡ଼ ଚ୍ୟାଲେଞ୍ଜ। ଖାଦ୍ୟପେୟରେ ନିୟନ୍ତ୍ରଣ ନ ରଖିଲେ ଡାଇବେଟିସ ରୋଗୀଙ୍କ ନିମନ୍ତେ ଏହି ଋତୁ ଘାତକ ସାବ୍ୟସ୍ତ ହୋଇପାରେ। ତେଣୁ ଥଣ୍ଡା ଦିନରେ ରକ୍ତରେ ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ କିଛି ଖାଦ୍ୟ ପଦାର୍ଥକୁ ମନା କରିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
ସାଧାରଣତଃ ଶୀତଦିନେ ଅଧିକ ଛଣାଛଣି ଜିନିଷ ଖାଇବାକୁ ଇଚ୍ଛା ହୋଇଥାଏ। କିନ୍ତୁ ଏଥିରେ ଥିବା ଫ୍ୟାଟ୍ ଶରୀରରେ ଜମା ହୋଇ ରହିଥାଏ, ଯାହାକି କେବେ ବି ଶୁଭଙ୍କର ନୁହେଁ। ତେଣୁ ଘରେ ପ୍ରସ୍ତୁତ ଗରମାଗରମ ପରାଟା, ମକା ରୋଟି, ସିଙ୍ଗଡ଼ା, ପୁରୀ ବା କଚୋଡ଼ି, ଚିପ୍ସ ଆଦି ଛଣା ଖାଦ୍ୟଠୁ ଡାଇବେଟିସ ରୋଗୀ ଏଥିରୁ ନିଜକୁ ଦୂରେଇ ରଖିବା ଉଚିତ। ଏହାଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇଥାଏ।
ଭିଟାମିନ ସିରେ ଭରପୂର କମଳା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କିନ୍ତୁ କମଳାରେ ଅଧିକ ମାତ୍ରାରେ ସୁଗାର ଥିବାରୁ ଡାଇବେଟିସ ରୋଗୀଙ୍କୁ ଶୀତ ଦିନେ ଏହା ଖାଇବାକୁ ବାରଣ କରାଯାଇଥାଏ।
ମହୁରେ ଅଧିକ ପରିମାଣର କାର୍ବୋହାଇଡ୍ରେଡ ଥାଏ। ଏହା ଶରୀରକୁ ସଙ୍ଗେ ସଙ୍ଗେ ଏନର୍ଜି ଯୋଗାଇଥାଏ। ତେଣୁ ଡାଇବେଟିସ ରୋଗୀଙ୍କୁ ଶୀତ ଦିନରେ ଏପରି ଖାଦ୍ୟ ପଦାର୍ଥଠୁ ନିଜକୁ ଦୂରେଇ ରଖିବା ଉଚିତ।

