Site icon Ethara Sambhala

ଚାଷୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ: ଦଲାଲଙ୍କ ପାଇଁ ବିଜେପି ଓକିଲାତି କରୁଛି, କହିଲା ବିଜେଡି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଓ ଧାନକିଣାରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ବିଜେପି ବିଶାଳ ଗଣବିକ୍ଷୋଭ କରିବା ସହ ରାଜ୍ୟ ବିଜେପି ନେତାମାନେ ଥାନାରେ ଧାରଣା ଦେବାପରେ କ୍ଷମତାସୀନ ବିଜେଡି ବିଚଳିତ ହୋଇପଡ଼ିଛି। ଚାଷୀଙ୍କଠୁ ଧାନ କିଣିବାପରେ ହିଁ ଧାରଣା ପ୍ରତ୍ୟାହୃତ ହେବ ବୋଲି ଜିଦରେ ବିଜେପି ଅଟଳ ରହିବାପରେ ବିଜେଡି ଏବେ ପ୍ରକୃତ ପ୍ରସଙ୍ଗ ଏଡ଼ାଇ ଯାଇ ରାଜ୍ୟ ବିଜେପିକୁ ସିଧାସଳଖ ସମାଲୋଚନା କରିଛି। ବିଜେଡି ମୁଖପାତ୍ର ତଥା ପଶ୍ଚିମଓଡ଼ିଶାର ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପଶ୍ଚିମଓଡ଼ିଶା ଭାଷାରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ରାଜ୍ୟ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଦଲାଲଙ୍କ ସହ ରାଜ୍ୟ ବିଜେପି ନେତାମାନେ ହାତ ମିଳାଇଛନ୍ତି ଓ ସେମାନଙ୍କ ପାଇଁ ଓକିଲାତି କରୁଛନ୍ତି। ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲଭାବେ ଜାଣନ୍ତି ବୋଲି କହିଛନ୍ତି।

ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ କ୍ରୟ କରୁଥିବାବେଳେ ବିଜେପି ଏବେ ଦଲାଲଙ୍କ ପାଇଁ ଓକିଲାତି କରୁଛି। ଦିଲ୍ଲୀରେ ଚାଷୀମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦେଇଥିବା ଧାରଣାରୁୁ ନଜର ହଟାଇବା ପାଇଁ ଓଡିଶା ବିଜେପି ଏଭଳି ଡ୍ରାମା କରୁଛି। ବିଜେପିର ଉଦ୍ଦେଶ୍ୟକୁ ଓଡ଼ିଶାବାସୀ ଭଲଭାବେ ବୁଝି ସାରିଲେଣି। ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି। ହେଲେ ବିଜେପି ସାଂସଦମାନେ ଓଡ଼ିଶା ପାଇଁ କରିଛନ୍ତି କ’ଣ ବୋଲି ଶ୍ରୀମତୀ ପ୍ରଶ୍ନ କରିଛନ୍ତି। ବିଜେପି ନେତାମାନେ ଏଠାରେ ଶସ୍ତା ରାଜନୀତି କରିବା ଅପେକ୍ଷା ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ପରି ଦିଲ୍ଲୀ ଦରବାରରେ ସ୍ୱର ଉତ୍ତୋଳନ କରନ୍ତୁ ବୋଲି କହିଛନ୍ତି। ବିଜେପି ନେତାମାନେ ଟିଭିରେ ଧାରାବାହିକ ଡ୍ରାମାରୁ ବିରତ ହୋଇ ଚାଷୀଙ୍କ ସ୍ୱାର୍ଥ ପାଇଁ କାମ କରନ୍ତୁ ବୋଲି କହିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ନିକଟରେ ଥିବା ବଳକା ଧାନକୁ ସଂଗ୍ରହ କରାଯିବା ନେଇ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି। ୨୦୧୮-୧୯ ବର୍ଷରେ ୬୫.୫ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା। ୨୦୧୯-୨୦ ବର୍ଷରେ ୭୦.୫୬ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା ଓ ୧୨,୮୦୮ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଥିଲା। ଚାଷୀ ସିଧାସଳଖ ଟଙ୍କା ପାଉଥିବାରୁ ଦଲାଲମାନେ ଏବେ ରାଜ୍ୟ ବିଜେପି ନେତାମାନଙ୍କ ସହ ମିଶି ଏଭଳି ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀମତୀ ମିଶ୍ର ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ବିଜେପିର ରାଜ୍ୟ ନେତାମାନେ ସମ୍ବଲପୁରରେ ଥାନାରେ ଧାରଣା ବସିଛନ୍ତି। ଆଜି ଆରଡିସିଙ୍କ ସହ ବିଜେପିର ୯ଜଣିଆ ପ୍ରତିନିଧି ଦଳ ଆଲୋଚନା କରିବ ବୋଲି ଜଣାପଡ଼ିଛି।

Exit mobile version