ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ପରୀ ଅପହରଣ ଓ ହତ୍ୟାକାଣ୍ଡକୁ ନେଇ ରାଜନୀତି ଉଷ୍ମ ହୋଇ ହୋଇଥିବା ବେଳେ ଏସଆଇଟି ମଞ୍ଜୁରକୁ ଐତିହାସିକ ସଫଳତା ବୋଲି କହିଥିଲେ ନରସିଂହ ମିଶ୍ର। ତେବେ ବରିଷ୍ଟ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ହତ୍ୟା ଘଟଣାର ତଦନ୍ତ ହେଉଥିବା ବେଳେ ଏଥିରେ ଆପତ୍ତି ଉଠାଇଥିଲେ ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର । କହିଥିଲେ ଅରୁଣ ବୋଥ୍ରାଙ୍କର ପୁଲିସ କ୍ଷମତା ନାହିଁ। ଏବେ ପ୍ରକାଶ ମିଶ୍ରଙ୍କ ସହ ସ୍ୱର ମିଶାଇଛନ୍ତି ନରସିଂହ। ପରୀ ହତ୍ୟାର ତଦନ୍ତ ପାଇଁ ଗଠିତ ସିଟ କୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ବୋଥ୍ରା ପରିବହନ ନିଗମ ସିଏମଡି ଥିବାରୁ ତାଙ୍କର ପୁଲିସ କ୍ଷମତା ନାହିଁ। ୩୬ ସିଆରପିସି ରେ କ୍ଷମତା ଥିବା ବ୍ୟକ୍ତି ସିଟ ରେ ରହିବା ଦରକାର ବୋଲି ନରସିଂହ କହିଛନ୍ତି। ନରସିଂହ କହିଛନ୍ତି ଯେ, ସିଟ ରେ ୩୬ ସିଆରପିସି କ୍ଷମତା ଥିବା ବ୍ୟକ୍ତି ହିଁ ରୁହନ୍ତୁ ବୋଲି ଆମେ ଦାବି କରୁଛୁ। ସିଟ ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ହାଇକୋର୍ଟଙ୍କ ତଦାରଖରେ କାମ କରୁ ବୋଲି ସେ କହିଛନ୍ତି। ପୂର୍ବରୁ ପ୍ରକାଶ ମିଶ୍ର କହିଥିଲେ ଯେ, ସିଟ ତଦନ୍ତର କୌଣସି ଅସ୍ତିତ୍ୱ ନାହିଁ । ସିଆରପିସି ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ। ଅରୁଣ ବୋଥ୍ରା ଏବେ ଓସାର୍ଟିସୀ ର ଏମ୍ଡି ଅଛନ୍ତି। ତାଙ୍କର କୌଣସି ପୁଲିସ ପାୱାର ନାହିଁ। ସେ ତଦନ୍ତ କେମିତି କରିବେ? ତେଣୁ ସିବିଆଇକୁ ତଦନ୍ତ ଦିଆଯାଉ। ଘଟଣାରେ ସିଟ ର ତଦନ୍ତ କରିବାର ଅଧିକାର ନାହିଁ। ସିଟ ତଦନ୍ତ ଯାହା କରିବ, ତାକୁ କୋର୍ଟ ଗ୍ରହଣ କରିବେ ନାହିଁ ବୋଲି ପ୍ରକାଶ ମିଶ୍ର କହିଥିଲେ।
ପ୍ରକାଶ ମିଶ୍ରଙ୍କ ସହ ସ୍ୱର ମିଶାଇଲେ ନରସିଂହ ମିଶ୍ର ।

