Site icon Ethara Sambhala

ଅଧିକ ପ୍ରୋଟିନ୍‌ ଖାଉଛନ୍ତି କି ? ତେବେ ସାବଧାନ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଶରୀର ପାଇଁ ପ୍ରୋଟିନ୍‌ ନିହାତି ଆବଶ୍ୟକ। ଏହା ଶରୀରରେ ମାଂସପେଶୀ ତିଆରି କରିବାରେ ଓ ଏହାକୁ ମରାମତି କରିବାରେ ସାହାଯ୍ୟ କରେ। ସେହିପରି ଏହା ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କିନ୍ତୁ ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ ପ୍ରୋଟିନ୍‌ର ପରିମାଣ କେତେ ରହୁଛି, ତାହା ଆମେ ଜାଣି ନଥାଉ। ଏଥିପାଇଁ ଅନେକ ସମୟରେ ଆବଶ୍ୟକତାଠାରୁ ଅଧିକ ପ୍ରୋଟିନ୍‌ ଖାଇଦେଉ। ତେବେ ଆପଣ ଜାଣିଛନ୍ତି, ଆବଶ୍ୟକତାଠାରୁ ଅଧିକ ପ୍ରୋଟିନ୍‌ ଖାଇଲେ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ସହିତ କ୍ୟାନସର୍‌ ହେବାର ଆଶଙ୍କା ବି ରହିଛି। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ଖାଦ୍ୟରେ ଯେତେ ଅଧିକ ପ୍ରୋଟିନ୍‌ ରହିଛି ସେଗୁଡ଼ିକ ଅଧିକ ଖରାପ ବା ସେଗୁଡ଼ିକୁ ଅଧିକ ଖାଇଲେ କ୍ୟାନସର ହେବାର ଅଧିକ ଆଶଙ୍କା ରହିଛି। ମାଂସ ବା ମାଂସ ଜାତୀୟ ଖାଦ୍ୟରେ ଅଧିକ ପ୍ରୋଟିନ୍‌ ରହିଥାଏ। ତେଣୁ ଏହାକୁ ଅଧିକ ମାତ୍ରାରେ ଖାଇଲେ କ୍ୟାନସର ହେବାର ଆଶଙ୍କା ବଢ଼ିଯାଏ। ତେଣୁ ପ୍ରୋଟିନ୍ ପାଇଁ କେବଳ ମାଂସ ନଖାଇ ଅନ୍ୟ ଉତ୍ସଗୁଡ଼ିକୁ ମଧ୍ୟ ଖାଇବା ଆବଶ୍ୟକ। ଏହାଦ୍ୱାରା କ୍ୟାନ୍‌ସର ଆଶଙ୍କା କମିଯାଏ। ଗବେଷକଙ୍କ କହିବା ଅନୁସାରେ ମାଂସରେ ଥିବା କାର୍ସିନୋଜେନିକ୍‌ କମ୍ପାଉଣ୍ଡ ଓ ଫ୍ୟାଟ୍‌ ହିଁ କ୍ୟାନସରର କାରଣ ହୋଇଥାଏ। ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଧିକ ପ୍ରୋଟିନ୍‌ ଖାଇବା ଯୋଗୁଁ କ୍ୟାନ୍‌ସର୍‌ ହେବାର ଆଶଙ୍କା ୪ ପ୍ରତିଶତ ଅଧିକ ବଢ଼ିଯାଏ। କେବଳ ଏତିକି ନୁହେଁ, ମାଂସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ଡାଇବେଟିସ୍‌ ହେବାର ଆଶଙ୍କା ମଧ୍ୟ ଅଧିକ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ତାଙ୍କ ଦୈନନ୍ଦିନ ଡାଏଟ୍‌ରେ ଓଜନ ଅନୁସାରେ କିଲୋଗ୍ରାମ୍‌ ପିଛା ୦.୮ ଗ୍ରାମ୍‌ର ପ୍ରୋଟିନ୍‌ ଖାଇବା ଉଚିତ୍‌। ଉଦାହରଣ ସ୍ୱାପ ଓଜନ ୫୦ କିଲୋ ହୋଇଥିଲେ ଦିନକୁ ୪୦ ଗ୍ରାମ୍‌ର ପ୍ରୋଟିନ୍‌ ଖାଇବା ଉଚିତ୍। ଏହାଠୁ ଅଧିକ ପ୍ରୋଟିନ୍‌ ଖାଉଥିଲେ କମ୍‌ କରିବା ପାଇଁ ଚେଷ୍ଟା କରନ୍ତୁ। ଏଥିପାଇଁ ମାଂସ ଓ ଦୁଗ୍ଧଜାତୀୟ ଖାଦ୍ୟ କମ୍‌ ଖା’ନ୍ତୁ। କିନ୍ତୁ ମନେ ରଖନ୍ତୁ, ଏସବୁ ଖାଦ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଆପଣ କୁପୋଷଣର ଶିକାର ହୋଇପାରନ୍ତି। ତେଣୁ ଆବଶ୍ୟକ ପରିମାଣରେ ପ୍ରୋଟିନ୍ ଖାଇବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ।

 

Exit mobile version