Site icon Ethara Sambhala

ବିଦେଶରେ ‘ଗୁଡ୍‌ ନ୍ୟୁଜ୍’ ର ଧମାକା ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ବକ୍ସ ଅଫିସ୍‌ରେ ଧମାକା କରୁଛି ‘ଗୁଡ୍‌ ନ୍ୟୁଜ୍’। ଅକ୍ଷୟ କୁମାର ଓ କରୀନା କପୁରଙ୍କ ଏହି ଫିଲ୍ମଟି ଡିସେମ୍ବର ୨୭ରେ ରିଲିଜ୍‌ ହୋଇଥିଲା। ରିଲିଜ୍‌ ହେବାର ୩ ସପ୍ତାହ ପରେ ବି ଏହା ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ଗତକାଲି ଉନବିଂଶ ଦିନରେ ଫିଲ୍ମଟି ୧ କୋଟି ଟଙ୍କାରୁ ଅଧିକ ଆୟ କରିଛି। କେବଳ ଭାରତରେ ନୁହେଁ ଏହା ବିଦେଶରେ ମଧ୍ୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ, ‘ଗୁଡ୍‌ ନ୍ୟୁଜ୍‌’ ଜାନୁଆରୀ ୧୩ ସୁଦ୍ଧା ବିଦେଶରେ ୬୯. ୨୫ କୋଟି ଟଙ୍କା ଆୟ କରିଛି। କମେଡି ଓ ଇମୋସନ୍‌ରେ ଭର୍ତ୍ତି ଏହି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ବକ୍ସ ଅଫିସ୍‌ରେ ନିକଟରେ ଦୁଇ ଦୁଇଟି ବଡ଼ ଫିଲ୍ମ ‘ତାନାଜୀ’ ଓ ‘ଛପାକ୍’ ରିଲିଜ୍‌ ହୋଇଛି। ତଥାପି ଅକ୍ଷୟଙ୍କ ଫିଲ୍ମର ଯାଦୁ ଫିକା ପଡ଼ି ନାହିଁ। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ ‘ଗୁଡ୍‌ ନ୍ୟୁଜ୍‌’ ଗତ ରବିବାର ସୁଦ୍ଧା ଭାରତରେ ୧୯୦ କୋଟିରୁ ଅଧିକ ଆୟ କରି ସାରିଛି।  ଖୁବ୍‌ଶୀଘ୍ର ଏହା ୨୦୦ କୋଟି କ୍ଲବରେ ସାମିଲ୍‌ ହୋଇଯିବ ବୋଲି ଆଶା କରାଯାଉଛି। ଫିଲ୍ମଟି ଓପନିଂ ଡେ’ରେ ୧୭ କୋଟି ଟଙ୍କାର ଜବରଦସ୍ତ କଲେକ୍ସନ୍‌ କରିଥିଲା। ଏହା୨୦୧୯ରେ ଅକ୍ଷୟଙ୍କର ଚତୁର୍ଥ ବିଗ୍‌ ହିଟ୍‌ ଫିଲ୍ମ ହୋଇଛି। ଏହା ପୂର୍ବରୁ ତାଙ୍କ ଫିଲ୍ମ ‘କେଶରୀ’, ‘ହାଉସ୍‌ଫୁଲ୍‌ ୪’ ଓ ‘ମିଶନ୍‌ ମଙ୍ଗଲ୍‌’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା। ସୂଚନାଯୋଗ୍ୟ, ‘ଗୁଡ୍‌ ନ୍ୟୁଜ୍’ ଫିଲ୍ମରେ ଅକ୍ଷୟ କୁମାର ଓ କରୀନା କପୁର ସ୍ୱାମୀସ୍ତ୍ରୀ ହୋଇଥିବା ବେଳେ କିଆରା ଆଡ଼ଭାନୀ ଓ ଦଲ୍‌ଜିତ୍‌ ଦୋସାଞ୍ଝ ବି ସ୍ୱାମୀସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି।  ଏଥିରେ ଦେଖିବାକୁ ମିଳିଛି ଯେ ‘ବତ୍ରା’ ଉପନାମ ଥିବା ଦୁଇ ଦମ୍ପତିଙ୍କର ପିଲାଛୁଆ ହେଉ ନଥିବାରୁ ସେମାନେ ଏକ ଘରୋଇ କ୍ଲିନିକ୍‌କୁ ଆଇଭିଏଫ୍‌ (ଇନ୍-ଭିଟ୍ରୋ-ଫର୍ଟିଲାଇଜେସନ୍‌)ର ସାହାଯ୍ୟ ନେବାକୁ ଯାଇଛନ୍ତି। ହେଲେ ସମାନ ଉପନାମ ଥିବା ଯୋଗୁ ଭୁଲ୍‌ବଶତଃ ଶୁକ୍ରାଣୁ ଅଦଳବଦଳ ହୋଇଯାଇଛି। ଆଉ ଏହା ପରେ ଆରମ୍ଭ ହେଇଯାଉଛି କନ୍‌ଫ୍ୟୁଜନ୍‌ ଓ ଦେଖିବା ମିଳିଛି ବହୁତ କମେଡି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ରାଜ୍‌ ମେହତା।

Exit mobile version