ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ନେତା ଓ କିଛି ଗଣମାଧ୍ୟମ ସର୍ବଦା ଟୁକଡେ ଟୁକଡେ ଗ୍ୟାଙ୍ଗ କଥା କହୁଛନ୍ତି। ଏହି ଟୁକଡେ ଟୁକଡେ ଗ୍ୟାଙ୍ଗ ଦେଶ ବିରୋଧୀ କାମ ମଧ୍ୟ କରୁଛନ୍ତି ବୋଲି ସେମାନେ କହିବାକୁ ପଛାଉ ନାହାନ୍ତି। ବାସ୍ତବରେ ଏହା ବିଜେପିର ଭୋଟ ରାଜନୀତି ନା ତୁକଡେ ତୁକଡେ ବୋଲି କିଛି ଗ୍ୟାଙ୍ଗ ଅଛି କି ? ଏ ସମ୍ପର୍କରେ ଜାଣିବା ପାଇଁ ଜଣେ ବ୍ୟକ୍ତି ଆରଟିଆ ଜରିଆରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଠାରୁ ସୂଚନା ମାଗିଥିଲେ। ହେଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଯାଏ ଏହାର ଉତ୍ତର ଦେଇପାରି ନାହିଁ। ତେବେ କେବଳ ଲୋକଲୋଚନକୁ ଆସିବା ପାଇଁ ବ୍ୟକ୍ତି ଜଣଙ୍କ ଏଭଳି ଆବେଦନ କରି ସମୟ ଅପଚୟ କରୁଛନ୍ତି ବୋଲି ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି। ଗତବର୍ଷ ଡିସେମ୍ବର ୧୬ରେ ବରିଷ୍ଠ ସାମ୍ବାଦିକ ସକେତ ଗୋଖଲେ ଟୁକଡେ ଟୁକଡେ ଗ୍ୟାଙ୍ଗକୁ କେମିତି ଚିହ୍ନଟ କରାଗଲା ଏବଂ ଏହି ଗ୍ୟାଙ୍ଗରେ କେଉଁମାନେ ଅଛନ୍ତି, ସେକଥା ଜାଣିବା ପାଇଁ ଆରଟିଆଇ ଜରିଆରେ ଆବେଦନ କରିଥିଲେ। କିନ୍ତୁ ଏଯାଏ ମନ୍ତ୍ରଣାଳୟ ପକ୍ଷରୁ ଏହାର ଜବାବ ଦିଆଯାଇ ନାହିଁ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା ବିଭାଗ କିମ୍ବା କୌଣସି ତଦନ୍ତକାରୀ ସଂସ୍ଥା କେବେ ହେଲେ ତା’ର ରିପୋର୍ଟରେ “ଟୁକଡେ ଟୁକଡେ ଗ୍ୟାଙ୍ଗ’’ ବିଷୟରେ ଉଲ୍ଲେଖ କରିନାହିଁ। ତେଣୁ କେବଳ ଚର୍ଚ୍ଚାରେ ରହିବା ପାଇଁ ଏଭଳି ଆବେଦନ କରାଯାଇଛି।ଅନ୍ୟପକ୍ଷରେ ସକେତ କହିଛନ୍ତି, “ଆରଟିଆଇ ଆବେଦନର ଜବାବ ଦେବାର ଶେଷ ତାରିଖ ହେଉଛି ଜାନୁଆରୀ ୨୬। ତେଣୁ ଏହା ମଧ୍ୟରେ ଯଦି ମନ୍ତ୍ରଣାଳୟ କୌଣସି ଜବାବ ନ ଦିଏ, ତା’ହେଲେ ମୁଁ ମୁଖ୍ୟ ସୂଚନା କମିଶନରଙ୍କ ନିକଟରେ ଏକ ଆବେଦନ ଦାଖଲ କରି ଏହି ପ୍ରସଙ୍ଗ ଉଠାଇବି।କେନ୍ଦ୍ରମନ୍ତ୍ରୀମାନେ ଅନେକଥର ଟୁକଡେ ଟୁକଡେ ଗ୍ୟାଙ୍ଗ କଥା ଅନେକ ଥର କହୁଛନ୍ତି। ହେଲେ ଏମାନଙ୍କୁ ଚିହ୍ନଟ ପାଇଁ କିଛି ଏସ୍ଓପି ପାଳନ କରାଯାଇଛି କି? ଯଦି ନା, ତା’ହେଲେ ଏହା କେବଳ କାଳ୍ପନିକ କଥା ଓ ଭୋଟ ରାଜନୀତି ପାଇଁ ଏଭଳି ନାରା ଦିଆଯାଉଛି ବୋଲି ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଉ।”୨୦୧୬ ଫେବୃଆରୀ ମାସରେ ଜେଏନ୍ୟୁରେ କିଛି ଲୋକ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଅଭିଯୋଗ ହୋଇଥିଲା। ତେବେ ଏଯାଏ ପୁଲିସ୍ ଅଭିଯୋଗକୁ ପ୍ରମାଣିତ କରିପାରି ନାହିଁ। ଏହି ଘଟଣା ପରେ ବିଜେପି ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୁକଡେ ଟୁକଡେ ଗ୍ୟାଙ୍ଗର ନାରା ଆରମ୍ଭ କରାଯାଇଥିଲା। ସେବେଠାରୁ ଜେଏନ୍ୟୁ ଛାତ୍ର କହ୍ନୈୟା କୁମାର, ଶେହଲା ରସିଦ ଓ ଉମର ଖାଲିଦଙ୍କ ସମେତ ବାମପନ୍ଥୀ ନେତାଙ୍କୁ ଟାର୍ଗେଟ କରିବାକୁ ଯାଇ ଦକ୍ଷିଣ ପନ୍ଥୀ ସଂଗଠନ ଏହି ନାରା ଦେଇ ଚାଲିଛି। ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ମଧ୍ୟ ଅନେକ ସମୟରେ ଟୁକଡେ ଟୁକଡେ ଗ୍ୟାଙ୍ଗ କଥା କହିଛନ୍ତି। ତେଣୁ ଏମାନେ କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏପରି କରୁଛନ୍ତି ନା ପ୍ରକୃତରେ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଏହି ଗ୍ୟାଙ୍ଗ ଓ ସଦସ୍ୟମାନଙ୍କୁ ଚିହ୍ନଟ କରିଛନ୍ତି କି ବୋଲି ଜାଣିବା ପାଇଁ ଆରଟିଆଇ ଜରିଆରେ ତଥ୍ୟ ମଗାଯାଇଛି।
ଟୁକଡେ ଟୁକଡେ ଗ୍ୟାଙ୍ଗ କିଏ? ଭାରତ ସରକାରଙ୍କ ପାଖରେ ନାହିଁ ତଥ୍ୟ ।

