Site icon Ethara Sambhala

ମନ୍ତ୍ରୀଙ୍କ ମନ୍ତବ୍ୟରେ ରାଗିଗଲେ ଜାଭେଦ୍‌; ଭାଇରାଲ୍ ହେଉଛି ଟ୍ୱିଟ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ଓ ଜେଏନ୍‌ୟୁରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ବେଶ୍ କିଛି ଦିନ ହେଲା ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀ ରଘୁରାଜ ସିଂହ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ ରାଲିକୁ ସମ୍ବୋଧିତ କଲା ବେଳେ ସେ ଛାତ୍ରଛାତ୍ରୀଙ୍କୁ ଜୀବନ୍ତ ପୋତି ଦେବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଯେଉଁମାନେ ନାରାବାଜି କରୁଛନ୍ତି, ସେମାନଙ୍କୁ ମାଟିରେ ଜିଅନ୍ତା ପୋତି ଦିଆଯିବ। ଏହା ବ୍ୟତୀତ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରଙ୍କୁ ବିରୋଧରେ ମଧ୍ୟ କହିଥିଲେ। ଏଭଳି ବୟାନ ଦେଇ ରଘୁରାଜ ସମାଲୋଚନାର ଶିକାର ହୋଇଥିବା ବେଳେ ବଲିଉଡ୍ ଅଭିନେତା ଜାଭେଦ୍ ଜାଫ୍ରି ଟ୍ୱିଟ୍‌ କରି ସରକାରଙ୍କ ସଂପର୍କରେ କଡ଼ା ମନ୍ତବ୍ୟ ଦେଇଛନ୍ତି, ଯାହା ଭାଇରାଲ୍ ହେଉଛି। ଜାଭେଦ ଲେଖିଛନ୍ତି, ଜାଗ୍ରତ ହୁଅ ଭାରତ…। ଆମେ କ’ଣ ଏଭଳି ସରକାର ଚାହାନ୍ତି? ସେମାନଙ୍କ ସାଂସଦ ଓ ବିଧାୟକମାନେ ଏଭଳି ଅସଂଖ୍ୟ ଖୋଲା ଧମକ ଓ ଘୃଣ୍ୟ ଭାଷଣ ଦେଉଛନ୍ତି। ସେମାନଙ୍କୁ ବାହାର କରାଯାଉ ନାହିଁ କି ଚୁପ୍ ରହିବାକୁ କୁହାଯାଉ ନାହିଁ। ଜାଭେଦ୍‌ଙ୍କ ଏହି ଟ୍ୱିଟ୍‌ ଉପରେ ଅନେକ ଲୋକ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସୂଚନାଯୋଗ୍ୟ, ଜାଭେଦ୍‌ ହେଉଛନ୍ତି ଜଣେ ଅଭିନେତା, ଡ୍ୟାନସର୍ ଓ କମେଡିଆନ୍। ୧୯୮୫ରେ ‘ମେରୀ ଜଙ୍ଗ୍’ ଜରିଆରେ ସେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ୨୦୧୪ରେ ସେ ଆମ୍ ଆଦ୍‌ମୀ ପାର୍ଟିରେ ଯୋଗଦେଇ ରାଜନୀତିରେ ପାଦ ଥାପିଥିଲେ।

Exit mobile version