Site icon Ethara Sambhala

ଉତ୍ତରପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ତାନାଜୀ’ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ): ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିୟର୍’ ବକ୍ସ ଅଫିସ୍‌ରେ ବଢ଼ିଆ ବିଜ୍‌ନେସ୍ କରୁଛି। ଫିଲ୍ମଟି ୩ ଦିନରେ ପାଖାପାଖି ୬୧ କୋଟି ଟଙ୍କା ଆୟ କରିସାରିଲାଣି। ଆଉ ଏହା ମଧ୍ୟରେ ଫିଲ୍ମଟିକୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଟ୍ୟାକ୍ସ ଫ୍ରି କରିଦେଇଛନ୍ତି। ୟୁପି ସରକାରଙ୍କ ଏଭଳି ପଦକ୍ଷେପ ପରେ ଦର୍ଶକମାନେ ଏହି ଫିଲ୍ମକୁ ସାରା ଦେଶରେ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରିଛନ୍ତି। ଏପରିକି ସୋଶାଲ୍‌ ମିଡିଆରେ ଏବେ #Tanhaji_TaxFree ଟ୍ରେଣ୍ଡ କରୁଛି। ବିଶେଷ କରି ଲୋକଙ୍କ ଦାବି ଯେ ମହାରାଷ୍ଟ୍ର ସରକାର ଏହାକୁ ନିହାତି ଟ୍ୟାକ୍ସ ଫ୍ରି କରିବା ଉଚିତ୍। ଅଜୟଙ୍କ ଏହି ଫିଲ୍ମ ସହ ଦୀପିକାଙ୍କର ‘ଛପାକ୍‌’ ମଧ୍ୟ ରିଲିଜ୍‌ ହୋଇଥିଲା। ‘ଛପାକ୍‌’କୁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି। ଫିଲ୍ମରେ ଅଜୟଙ୍କ ବ୍ୟତୀତ ସୈଫ୍‌ ଅଲ୍ଲୀ ଖାନ୍‌ ଓ କଜୋଲ୍‌ ମୂଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ଜରିଆରେ ଅଜୟ ଓ କାଜୋଲ୍‌ ପ୍ରାୟ ୯ ବର୍ଷ ପରେ ପୁଣିଥରେ ଏକାଠି ସ୍କ୍ରିନ୍‌ ଶେଆର୍‌ କରିଛନ୍ତି। ଏହା ବ୍ୟତୀତ ‘ତାନାଜୀ’ ହେଉଛି ଅଜୟଙ୍କର ୧୦୦ତମ ଫିଲ୍ମ।ସୂଚନାଯୋଗ୍ୟ, ଫିଲ୍ମଟି ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଯୋଦ୍ଧାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସେନାବାହିନୀରେ ଥିଲେ। ଛତ୍ରପତି ଶିବାଜୀ ମହାରାଜଙ୍କ ସହ ସେ ଅନେକ ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ବିଶେଷ କରି ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତ।

Exit mobile version