Site icon Ethara Sambhala

ପର୍ଯ୍ୟଟନ ମନ୍ତ୍ରୀଙ୍କୁ କଣ ହୋଇଛି ? କଣ ପାଇଁ ଯାଇଥିଲେ ମେଡିକାଲ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗିର): ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ କଣ ହୋଇଛି? ସେ ବଲାଙ୍ଗିରରେ ପର୍ଯ୍ୟଟନ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ କରିବାକୁ ଯାଇ ଅଚାନକ ମେଡିକାଲ୍‌ରେ ପହଞ୍ଚି ଥିଲେ। ସାଧାରଣ ରୋଗୀଙ୍କ ପରି ଧାଡ଼ିରେ ଠିଆ ହୋଇ ଟୋକନ୍‌ କାଟି ଆଉଟ୍‌ଡୋର୍‌ରେ ଡାକ୍ତରଙ୍କୁ ଦେଖାଇଥିଲେ। ବାମ କହୁଣୀରେ ଯନ୍ତ୍ରଣା ହେଉଥିବାରୁ ସେ ମେଡିକାଲ୍‌ରେ ଡାକ୍ତରଙ୍କୁ ଦେଖାଇଥିଲେ।

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବଲାଙ୍ଗିର ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ପର୍ଯ୍ୟଟନ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ କରିବା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଆଜି ଭାରତ ବନ୍ଦ ଡାକରା ହୋଇଥିବାରୁ ସେ ସରକାରୀ କାର୍ଯ୍ୟ କରିପାରିଲେ ନାହିଁ। ତେଣୁ ସେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସରପ୍ରାଇଜ୍‌ ଭିଜିଟ୍‌ କରିବା ପାଇଁ ଯିବାକୁ ସ୍ଥିର କଲେ।

ମେଡିକାଲ୍‌ରେ ‘ମୋ ସରକାର କେମିତି ଚାଲିଛି’ ସେ ସମ୍ପର୍କରେ ଜାଣିବା ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଅଚାନକ ମନିଂୱାକ୍‌ ଡ୍ରେସ୍‌ରେ ବାଇକରେ ଯାଇ ମେଡିକାଲରେ ପହଞ୍ଚିଥିଲେ। ପରେ ରୋଗୀଙ୍କ ପରି ଲାଇନ୍‌ରେ ଛିଡା ହୋଇ କାଉଣ୍ଟରରୁ ଟିକେଟ କାଟିଲେ। ତା’ପରେ ସେ ଆଉଟ୍‌ଡୋରରେ ଡାକ୍ତରଙ୍କରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡାକ୍ତରଙ୍କ ପରାମର୍ଶ ନେଇ ସେ ଏକ୍ସ-ରେ ରୁମ୍‌ ଭିତରକୁ ଯାଇଥିଲେ। ସେଠାରେ ଲାଇନ୍‌ରେ ଛିଡା ହୋଇ ଏକ୍ସ-ରେ କରିଥିଲେ। ମେଡିକାଲ୍‌ରେ କେମିତି ରୋଗୀ ସେବା ଦିଆଯାଉଛି? ସେ ସମ୍ପର୍କରେ ଜାଣିବା ପାଇଁ ମନ୍ତ୍ରୀ କିଛି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ମନ୍ତ୍ରୀ ସକାରାତ୍ମକ ଉତ୍ତର ପାଇଛନ୍ତି। ପରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ହସ୍ପିଟାଲରେ ପହଞ୍ଚିଥିଲେ।

ସେ କହିଛନ୍ତି-“ଦୁଇ ମାସ ତଳେ ଗାଡ଼ିରେ ବାମ ହାତ କହୁଣୀରେ ମାଡ଼ ହୋଇଯାଇଥିଲା। ସେଥିପାଇଁ ଯନ୍ତ୍ରଣା ହେଉଛି। ଏଥିରୁ ଉପଶମ ପାଇଁ ଆଜି ମୁଁ ମେଡିକାଲ୍‌ ଯାଇଥିଲି। ଅନ୍ୟ ରୋଗୀଙ୍କ ପରି ଲାଇନ୍‌ରେ ଛିଡ଼ା ହୋଇ ଟୋକନ୍‌ କଲି। ପରେ ଡାକ୍ତରଙ୍କୁ ଦେଖାଇ ଏକ୍ସ-ରେ କଲି।”

Exit mobile version