Site icon Ethara Sambhala

ଶୀତରେ ଆସିଲା ବର୍ଷାର ଖବର, ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର): ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ବର୍ଷା ହେବ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାକୁ ନଜରରେ ରଖି ରାଜସ୍ୱ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅମଳ ଧାନକୁ ଘରକୁ ନେଇ ଆସିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗୃହହୀନଙ୍କୁ ଆଶ୍ରୟ ଦେବାକୁ ସ୍କୁଲ କୋଠା ରାତିରେ ଖୋଲିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ସମ୍ୱଲପୁର, ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼ ଓ ସମ୍ୱଲପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ତେବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ।

ଆସନ୍ତାକାଲି ଅର୍ଥାତ ୯ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ କେତେକ ସ୍ଥାନରେ ସ୍ୱଳ୍ପ ଏବଂ ମଧ୍ୟମ ଧରଣର ବର୍ଷା ହେବ। ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୋଦ୍ଧ, ସୋନ୍‌ପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିବ। ସେଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ପହରିଦିନ ଅର୍ଥାତ ଆସନ୍ତା ୧୦ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। ଏହାର ପ୍ରଭାବରେ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଅନୁଗୋଳ, କେନ୍ଦୁଝର, ବଲାଙ୍ଗିର ଓ ସୋନ୍‌ପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ।

ଆସନ୍ତା ୧୧ ତାରିଖରେ ପାଗ ଶୁଖିଲା ରହିଲେ ମଧ୍ୟ ଗୋଟିଏ ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ଲାଗି ରହିବା ସହିତ ପ୍ରବଳ ଶୀତ ଅନୁଭୂତ ହେବ। ସେଥିପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ଜାରି କରିଛି ପାଣିପାଗ ବିଭାଗ। ତେବେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ।

ବର୍ଷା ଯୋଗୁଁ କୁହୁଡି ହେବା ସହିତ ପ୍ରଭାବ ଶୀତ ଅନୁଭୂତ ହେବ। ଆସନ୍ତା ୪୮ ଘଣ୍ଟା ଭିତରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଖସି ଆସିବ। ପରବର୍ତ୍ତୀ ସମୟରେ ଏହା ବଢ଼ିବାର ସମ୍ଭାବନା ରହିଛି। ବର୍ଷାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Exit mobile version