Site icon Ethara Sambhala

ଆନ୍ଧ୍ରକୁ ବେଆଇନ ଭାବେ ବାଲି ଚୋରା-ଚାଲାଣ ହେବା ବେଳେ ଧରା ପଡ଼ିଲା ୫ ଟି ଟ୍ରକ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଞ୍ଚଳର ବଂଶଧାରା ନଦୀ ମୁହାଣରୁ ମେସିନ ଦ୍ୱାରା ବାଲି ଉଠାଇ , କାଗଜପତ୍ର ଜାଲ କରି ଆନ୍ଧ୍ର ଟ୍ରକ ଯୋଗେ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ବେଳେ ୫ଟି ଟ୍ରକ ଧରାପଡ଼ିଛି । ରାତାରାତି ପୁରୄଟିଗୁଡା ସ୍ଥିତ ବଂଶଧାରା ନଦୀ ମୁହାଣ ବାଲି ରେମ୍ପ ରୁ ୫ଟି ୧୪ ଚକିଆ ବଡ଼ବଡ଼ ଟ୍ରକରେ ବେଆଇନ ଭାବେ ନଦୀରେ ଜେସିପି ମେସିନ ଲଗାଇ ଆବଶ୍ୟକ ଠାରୁ ଅଧିକ ବାଲି ଲୋଡ଼ କରି ପଡୋଶୀ ଆନ୍ଧ୍ରକୁ ଚୋରା ରାସ୍ତା ଦେଇ ଚାଲାଣ କରୁଥିଲେ ।

ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଏହାଦେଖି ସେମାନଙ୍କ କାଗଜପତ୍ର ଦେଖି ଏବଂ ତାହା ଚତୁର ଓ କୌଶଳତାର ସହ ସମ୍ପୁର୍ଣ୍ଣ ଜାଲ ହୋଇଥିବା ଜାଣି ଟ୍ରକ ସବୁ ସେଠାରେହିଁ ଅଟକ ରଖିଥିଲେ । ପରେ ପୋଲିସ ଓ ତହସିଲଦାରଙ୍କୁ ଖବର ଦେଇ ଘଟଣା ସ୍ଥଳକୁ ଡକାଇ ଅଟକ ତଥା କାଗଜପତ୍ର ଜାଲକରି ଖଣିଜ-ସମ୍ପଦକୁ ବେଆଇନ ଚୋରା-ଚାଲାଣ କରୁଥିବା ଅଭିଯୋଗ ପ୍ରକାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ତହସିଲଦାର ଓ ପୋଲିସ ତୁରନ୍ତ ସେଠାରୁ ବାଲି ବୋଝେଇ ୧୪ ଚକିଆ ଟ୍ରକ ଗୁଡ଼ିକ ତହସିଲ କାର୍ଯ୍ୟାଳୟ ପରିସରକୁ ନେଇ ଅଟକ ରଖି ପଚରାଉଚରା କରିଥିଲେ ।

ବାଲି ନେବାପାଇଁ ମିଳୁଥିବା ସରକାରୀ ଅନୁମତି କାଗଜପତ୍ର ସବୁର ଟିକିନିଖି ଯାଞ୍ଚ କରି ଥିଲେ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ଏବଂ ଥାନା ଅଧିକାରୀ ଆନନ୍ଦ ପାତ୍ର । ଯାଞ୍ଚ ବେଳେ “ୱାଇ” ଫର୍ମ ର ଅନୁମତି ପତ୍ର ଟ୍ରାଞ୍ଜିଟ-ପାସ ଓ ଡେଷ୍ଠିନେସନ ବାହାରିବା ଓ ପହଞ୍ଚିବା ସ୍ଥାନ ସବୁ ଜାଲ କରାଯାଇଛି । ଏମିତିକି ଯେଉଁଠାରୁ ବାଲି ଉଠାଣ ହେଉଛି , ସେହିଠାକୁ ବାଲି ଯାଉଛି , ଓ କେବଳ ଓଡିଶା ଭିତରେ ବୋଲି ଷ୍ଟାମ୍ପ ବାଜିଥିବା ବେଳେ ତାକୁ ଲିଭାଯାଇଥିବା ୫ ସିଏଫଟି ସ୍ଥଳେ ଅଧିକ ବାଲି ବୋଝେଇ କରିବା ପ୍ରଭୃତି ଭଳି ଅନେକ ଜାଲ ହୋଇଥିବା ଜଣା ପଡ଼ିଥିଲା ।

ସ୍ଥାନୀୟ ବାସି ଗାବରା ତିରୁପତି ରାଓ , କେ. ମଧୁ ଙ୍କ ସମେତ ଅଞ୍ଚଳ ବାସି ସେମାନଙ୍କ ଅଭିଯୋଗରେ କହିଛନ୍ତି ଯେ , ସ୍ଥାନୀୟ ଲୋକେ ଘର ନିର୍ମାଣ ପାଈଁ ଟ୍ରାକ୍ଟରରେ ବାଲି ନେଲେ ରାଜସ୍ୱ ବିଭାଗ ତାକୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋୟାଲଟି ଫାଇନ ପକାଉଛନ୍ତି । ହେଲେ ଆନ୍ଧ୍ରର ୧୪ ଚକିଆ ଟ୍ରକ ଯୋଗେ ବାଲି ବେଆଇନ ଭାବେ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ବେଳେ କିଭଳି ତହସିଲ ବିଭାଗ ନଜରରେ ପଡୁନି ଓ ତାକୁ ଧରି ପାରୁ ନାହାନ୍ତି ଏବଂ ବାରମ୍ବାର ଏଭଳି ବେଆଇନ ବାଲି ଚୋର-ଚାଲାଣ ହେଉଥିବା ଖବର ତହସିଲ ବିଭାଗକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ ବୋଲି ଅଭିଯୋଗରେ କହିଛନ୍ତି ।

ଅନ୍ୟ ପକ୍ଷରେ ଯେଉଁ ବାଲି ମାଫିଆ ମାନେ ସରକାରୀ କାଗଜପତ୍ରକୁ ଜାଲ କରି ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି , ସେମାନଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ଦାବି କରିଥିଲେ ।

ଏ ସମ୍ପର୍କରେ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ , ଆମେ ଟ୍ରକରେ ୫ ସିଏଫଟି ସ୍ଥଳେ ୭ ସିଏଫଟି ବାଲି ଲୋଡ଼ ହୋଇ ଯାଉଥିବା ଏବଂ କାଗଜ ପତ୍ରରେ ସବୁ ଭୁଲଭାଲ୍ ଥିବା ଜାଣିବାକୁ ପାଇଲୁ । ଏହାବାଦ , ରାଜସ୍ୱ ବିଭାଗର ବିନା ଅନୁମତିରେ ଓଡିଶାର ଖଣିଜ ସମ୍ପଦ ଓଡିଶା ବାହାରକୁ ନେଇ ହେବ ନାହିଁ ।ରାଜସ୍ୱ ବିଭାଗର ଗାଇଡ଼ ଲାଇନ ପ୍ରକାରେ ଯାହା ନୀତି-ନିୟମ ସବୁ ରହିଛି , ସେହି ଆଧାରରେ ଧରା ପଡିଥିବା ଟ୍ରକ ଗୁଡିକ ପ୍ରତି ଆମେ ବିହିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ଅଧିକରୁ ଅଧିକ ଫାଇନ ପକାଯିବ ବୋଲି କହିଥିଲେ ।

Exit mobile version