Site icon Ethara Sambhala

୧୬ରୁ ମୟୂରଭଞ୍ଜ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ‘ମୟୂରଭଞ୍ଜ ସାଂସ୍କୃତିକ ସଂସଦ, ଭୁବନେଶ୍ୱର’ ପକ୍ଷରୁ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ‘୭ମ ମୟୂରଭଞ୍ଜ ଉତ୍ସବ’ ଅନୁଷ୍ଠିତ ହେବ। ଏଥିରେ ମୟୂରଭଞ୍ଜର କଳା, ସଂସ୍କୃତି, ପର୍ଯ୍ୟଟନ ଓ ବ୍ୟଞ୍ଜନ ଆଦି ପ୍ରଦର୍ଶିତ ହେବ। ଆଜି ମୟୂରଭଞ୍ଜ ସାଂସ୍କୃତିକ ସଂସଦ ପରିସରରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂସଦର ସାଧାରଣ ସଂପାଦକ ଗୋକୁଳ ଚନ୍ଦ୍ର ଦାସ। ମୟୂରଭଞ୍ଜ ସଂସ୍କୃତିର ପ୍ରଚାର ପ୍ରସାର, ସେଠାକାର ପ୍ରତିଭାମାନଙ୍କୁ ରାଜଧାନୀରେ ଏକ ଉତ୍ତମ ମଞ୍ଚ ଯୋଗାଇ ଦେବା ଓ ମୟୂରଭଞ୍ଜର ପର୍ଯ୍ୟଟନକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଉତ୍ସବ ଆୟୋଜିତ ହେଉଛି ବୋଲି ସଂସଦ ପକ୍ଷରୁ କୁହାଯାଇଛି। ଉତ୍ସବରେ ତିନୋଟି ଚିତ୍ତାକର୍ଷକ ଜୋନ୍‌ ରହିବ। ପ୍ରତିଷ୍ଠିତ ଓ ଉଦୀୟମାନ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ଖିଚିଂର ପଥର ବାସନ ଓ ମୟୂରଭଞ୍ଜର ଟସର ଆଦି ବିଭିନ୍ନ ଷ୍ଟଲ୍‌କୁ ନେଇ କ୍ରାଫ୍ଟ୍‌ ମେଳା ଓ ବାରିପଦା ମୁଢ଼ି-ମାଂସରୁ ଆରମ୍ଭ କରି ବିଭିନ୍ନ ପ୍ରସିଦ୍ଧ ବ୍ୟଞ୍ଜନକୁ ନେଇ ବ୍ୟଞ୍ଜନ ଜୋନ୍‌ ରହିବ। ଚଳିତ ବର୍ଷ ମୟୂରଭଞ୍ଜ ପ୍ରସିଦ୍ଧ ଜ୍ୱାଳାମୁଖୀ ମନ୍ଦିରର ଏକ ପ୍ରତିଫଳନ ମଞ୍ଚରେ ଦେଖିବାକୁ ମିଳିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ସଂସଦର ଉପସଭାପତି ତଥା ଅଭିନେତା ଉତ୍ତମ ମହାନ୍ତି, କାର୍ଯ୍ୟକାରୀ ସଭ୍ୟ ରବି ମହାନ୍ତି, ସାଂସ୍କୃତିକ ପରିଚାଳକ ଚିନ୍ମୟ ଦାସ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version