!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଭବାନୀପାଟଣା)- ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷିତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନୁସୂଚିତ ଅଞ୍ଚଳର ମାନ୍ୟତା ପାଇଥିବାବେଳେ ବିଭିନ୍ନ ମୌଳିକ ସେବା, ସୁବିଧା ଓ ସରକାରୀ ଯୋଜନା କ୍ଷେତ୍ରରେ ଅତ୍ୟନ୍ତ ସମ୍ବେଦନଶୀଳ ଅଟେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା, ସ୍ୱାଧୀନତାର ଦୀର୍ଘ ୭୯ ବର୍ଷ ପରେ ମଧ୍ୟ ବ୍ଲକର ୨୬ ଗୋଟି ପଞ୍ଚାୟତ ଅଞ୍ଚଳରେ ସଡ଼କ ଯୋଗାଯୋଗ ଭଳି ମୌଳିକ ସୁବିଧା ଉପଲବ୍ଧ ହୋଇପାରିଲା ନାହିଁ। ଆଜି ବି ବ୍ଲକର ଅନେକ ଗାଁକୁ ରାସ୍ତା ଖଣ୍ଡିଏ ନାହିଁ। ରୋଗୀ ଓ ଗର୍ଭବତୀ ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି। ଅନେକ ରାସ୍ତା ନିର୍ମାଣ ହୋଇଥିଲେ ହେଁ ଅତ୍ୟନ୍ତ ନିମ୍ନମାନର କାମ, ଶୂନ୍ୟ ରକ୍ଷଣାବେକ୍ଷଣ ଓ ଶୂନ୍ୟ ପରିଚାଳନା, ବିଭାଗୀୟ ଯାଞ୍ଚ ଓ ତଦାରଖରେ ଅବହେଳା, ଭୁଲ ଡିଜାଇନିଂ ଯୋଗୁଁ ସଡ଼କ ଯୋଗାଯୋଗ ଏକପ୍ରକାର ଭୁଷୁଡ଼ି ପଡ଼ିଛି। ଠିକ ସେହିପରି ବ୍ଲକର ଅନେକ ଦୂର ଦୁରାନ୍ତର ଓ ଦୁର୍ଗମ ଅଞ୍ଚଳରେ ବର୍ଷ ବର୍ଷ ଧରି ରାସ୍ତା ଓ ପୋଲ ଅଧପନ୍ତରିଆ ହୋଇ ପଡ଼ିରହିଛି। ଟେଣ୍ଡର ହାସଲ କରିଥିବା ଠିକାଦାର ନିଜେ ରାସ୍ତା ନିର୍ମାଣ ନକରି ପେଟି କଣ୍ଟ୍ରାକ୍ଟରଙ୍କ ହାତରେ କାମ ଟେକି ଦେଉଥିବାବେଳେ ମୁନସୀ, ସୁପରଭାଇଜର ଭରସାରେ ବ୍ଲକ ଅଞ୍ଚଳର ରାସ୍ତା ନିର୍ମାଣ ହେଉଛି। ଏପରିକି ରାସ୍ତା ନିର୍ମାଣର ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀମାନେ ନିଜ ପାଇଁ ନିର୍ମିତ ସରକାରୀ କାର୍ଯ୍ୟାଳୟ( ସିକେରକୁପା ଓ ବିଶ୍ୱନାଥପୁର )ରେ ଦିନେ ବି ଉପସ୍ଥିତ ରହୁନଥିବାବେଳେ ରାସ୍ତା ଓ ପୋଲ ନିର୍ମାଣ ସମୟରେ କେମିତି ତଦାରଖ କରୁଥିବେ ବେଶ ଅନୁମାନ କରାଯାଇପାରେ। ସେଥିମଧ୍ୟରୁ ସିକେରକୁପା କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁତକୋଠି ପାଲଟିସାରିଛି କିନ୍ତୁ ଆଶ୍ଚର୍ଯ୍ୟର କଥା, ପ୍ରତି ଦୁଇ ତିନିବର୍ଷରେ ଏହାର ନିୟମିତ ମରାମତି କରାଯାଏ। ନୂଆ ରାସ୍ତା ପାଇଁ ବାରମ୍ବାର ସର୍ଭେ କରାଯାଉଛି ସତ କିନ୍ତୁ ନୂଆ ରାସ୍ତା ନିର୍ମାଣ ହେଉନାହିଁ। ଠିକାଦାରମାନଙ୍କ ଦ୍ୱାରା ନିର୍ମାଣ ପରେ ରକ୍ଷଣାବେକ୍ଷଣ ଅବଧି ସରିଗଲେ ବି ବିଭାଗ ପକ୍ଷରୁ ସମ୍ପୃକ୍ତ ରାସ୍ତା ଓ ପୋଲର ମରାମତି ପାଇଁ ଧ୍ୟାନ ଦିଆଯାଉନାହିଁ। ବ୍ଲକର ବିଶ୍ୱନାଥପୁର-ମୂଷାନାଳ, ମୂଷାନାଳ-କାନକୁଟ୍ରୁ, ଲାଞ୍ଜିଗଡ଼ ଭାୟା ତ୍ରିଲୋଚନପୁର-ବିଜେପୁର, ବିଜେପୁର-ପାହାଡ଼ପଦର, ଛତ୍ରପୁର-ବାତେଲିମା, ସରଲାଞ୍ଜି-ଗୁଣ୍ଡରୀ, କଦମ୍ବଗୁଡା-ଭୁର୍ଟିଗଡ଼, ଗୋବର୍ଦ୍ଧନପୁର- କଦଳୀଘାଟି, ଲାଞ୍ଜିଗଡ଼- ବେନଗାଁ, ବନ୍ଧପାରି-ଲାଞ୍ଜିଗଡ଼, ଖଜୁରଗୁଡ଼ା ଛକ-ଡମ ସୁଲିମ, ଲୋକନାଥପୁର ଛକ-ମେଲଘୁଟୁ, ଖଜୁରଗୁଡା ଛକ- ମାଳିଯୁବାଙ୍ଗ-ସୁନାଖଡ଼ିକା, ଲାଞ୍ଜି-ବେନଗାଁ, ଜାମଚୁଆଁ-ଯୁବାଗାଁ-ଡାହାଣୀପଦର, ଧଡେଲ- କାର୍ଲିଜୁଡ଼ି, ଲାଖବାହଲି-ପଣସଗୁଡା, କାନକୁଟ୍ରୁ-ଗାରେସ, ଭଟାଙ୍ଗପଦର-ଗୁଣ୍ଡରୀ, କିଡିଙ୍ଗ-ମାଡ଼ିବନ୍ଧା- ମାହେଶ୍ୱରୀପୁର ଆଦି ରାସ୍ତା ନିର୍ମାଣ ଓ ମରାମତି ଆବଶ୍ୟକ ହେଉଛି। ସେହିପରି ବ୍ଲକର ବିଭିନ୍ନ ଅଞ୍ଚଳରେ ନୂତନ ରାସ୍ତା ଓ ପୋଲ ନିର୍ମାଣର ଆବଶ୍ୟକତା ରହିଛି। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦୌ ଦୃଷ୍ଟିପାତ କରୁନାହାନ୍ତି। ଲୋକେ ଅଭିଯୋଗ କରିକରି ଥକିଗଲେଣି, ଖବରକାଗଜରେ ବାରମ୍ବାର ପ୍ରକାଶ କଲାପରେ ବି ଫଳ କିଛି ମିଳୁନି। ଶେଷରେ ଅନ୍ୟ ଉପାୟ ନପାଇ ନାଗରିକ ଦାୟିତ୍ୱ ତୁଲାଇବାକୁ ଆଗେଇ ଆସିଛି ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ କ୍ଳବ। ଆଜି ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ଉପଦେଷ୍ଟା କୈଳାସ ସାହୁ, କୋଷାଧ୍ୟକ୍ଷ ପରେଶ କୁମାର ନାୟକଙ୍କ ସହିତ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏପରିକି ଲାଞ୍ଜିଗଡ଼ ବ୍ଲକର ଏହି ମୌଳିକ ସମସ୍ୟା ପ୍ରତି ପଦକ୍ଷେପ ନନେଲେ ଅଞ୍ଚଳବାସୀଙ୍କ ତରଫରୁ ପ୍ରେସ କ୍ଳବ ନୈତିକ ଦାୟିତ୍ୱ ନେବା ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ସେହିପରି ସଡ଼କ ଯୋଗାଯୋଗରେ ଥିବା ଉପରୋକ୍ତ ସମସ୍ୟାଗୁଡ଼ିକୁ ନେଇ କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ନନେଲେ ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଭବାନୀପାଟଣା ଡିଭିଜନ ଅଫିସ ଘେରାଉ କରିବା ସହିତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଫିସ ସାମ୍ନାରେ ଧାରଣାରେ ବସିବୁ ବୋଲି ଚେତାବନୀ ଦିଆଯାଇଛି। ବ୍ଲକର ଏହି ମୌଳିକ ସମସ୍ୟାକୁ ନେଇ ବ୍ଲକର ୩୦ରୁ ଉର୍ଦ୍ଧ୍ଵ ବିଭିନ୍ନ ସାମାଜିକ, ରାଜନୈତିକ ସଂଗଠନ ଓ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ସହଯୋଗ କରିବେ ବୋଲି ଜଣାପଡିଛି। ଧାରଣା ଦିନ ପାଞ୍ଚଶହରୁ ଉର୍ଦ୍ଧ୍ଵ ଜନସାଧାରଣଙ୍କ ସମାଗମ ହେବ। ସମସ୍ୟାର ସମାଧାନ ନହେବା ଓ ନିର୍ଭର ପ୍ରତିଶ୍ରୁତି ନମିଳିବା ଯାଏଁ ଧାରଣା ଜାରି ରହିବ ଏବଂ ଏହି ସମୟରେ କିଛି ଅଘଟଣ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପ୍ରଶାସନ ଦାୟୀ ରହିବେ ବୋଲି ପ୍ରେସ କ୍ଳବ ତରଫରୁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଭବାନୀପାଟଣା ଟାଉନ ଥାନା ପୁଲିସକୁ ମଧ୍ୟ ଅବଗତ କରାଯାଇଛି।

