Site icon Ethara Sambhala

ଖୋଲିଲା ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌ ;ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ହୀରାକୁଦ ଡ୍ୟାମ୍‌ରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପର୍ଯ୍ୟାୟକ୍ରମେ ଡ୍ୟାମରୁ ୨୦ଟି ଗେଟ୍‌ ଖୋଲିଛି। ବାମ ପଟର ୧୩ଟି ଓ ଡାହାଣ ପଟର ୭ଟି ଗେଟ୍ ଖୋଲା ଯାଇଛି। ପରମ୍ପରାକୁ ବଜାୟ ରଖି ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯାଇଥିଲା। ସକାଳ ୧୦ଟା ୧୮ ମିନିଟ୍‌ରେ ପ୍ରଥମେ ବାମପାର୍ଶ୍ଵ ସ୍ପିଲୱେ ପଟୁ ୭ ନମ୍ବର ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିଲା। ତା’ପରେ ଆଉ ୧୧ଟି ଗେଟ୍ ଖୋଲାଯାଇଥିଲା। ତେବେ ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳର ପ୍ରବେଶ ବଢ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ପୁଣି ୮ଟି ଗେଟ୍ ଖୋଲା ଯାଇଥିଲା। ତେବେ ହୀରାକୁଦର ବନ୍ୟା ଜଳ ତଳମୁଣ୍ଡରେ ବନ୍ୟା ବିଭୀଷିକା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା। ସକାଳ ୮ଟାରେ ହୀରାକୁଦ ଡ୍ୟାମ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡକୁ ୧ ଲକ୍ଷ ୩୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଅପରାହ୍ନ ୩ଟା ବେଳକୁ ଏହାର ପରିମାଣ ସେକେଣ୍ଡକୁ ୨ ଲକ୍ଷ ୭୪ ହଜାର ଘନଫୁଟକୁ ବୃଦ୍ଧି ପାଇଥିଲା। ଆଗକୁ ପୁଣି ଲଗାଣ ବର୍ଷାର ସମ୍ଭାବନା ଥିବାରୁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏଠାରୁ ନିଷ୍କାସିତ ବନ୍ୟାଜଳ କଟକର ମୁଣ୍ଡଳି ଠାରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ। ଗେଟ୍‌ ଖୋଲିବା ପୂର୍ବରୁ ଆଜି ସକାଳୁ ସତର୍କ ସାଇରନ ବାଜିବା ଆରମ୍ଭ କରିଥିଲା। ସେହିପରି ଗତ ୨ ଦିନ ଧରି ତଳମୁଣ୍ଡରେ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରାଯାଇଥିଲା। ବୁର୍ଲା, ହୀରାକୁଦ ଓ ସମ୍ବଲପୁର ସମେତ ମହାନଦୀର ତଳ ମୁଣ୍ଡରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଦୃଶ୍ୟ ଦେଖିବା ପାଇଁ ସମ୍ବଲପୁର ସମେତ ଅନ୍ୟ ଜିଲ୍ଲାମାନଙ୍କରୁ ଲୋକମାନେ ହୀରାକୁଦକୁ ଆସିଥିଲେ। ଏଠାରେ ଲୋକଙ୍କର ବେଶ୍ ଗହଳି ଲାଗିଥିଲା। ଜଳ ନିଷ୍କାସନ ସମୟରେ ଧୂଆଁଳିଆ ପରିବେଶ ସୃଷ୍ଟି ହୋଇଥିଲା। ଡ୍ୟାମରୁ ଜଳ ନିଷ୍କାସିତ ହେବାର ଦୃଶ୍ୟକୁ ଲୋକେ ଉପଭୋଗ କରିଥିଲେ ଓ ସେମାନଙ୍କ ମୋବାଇଲ ଫୋନ୍‌ର କ୍ୟାମେରାରେ ତାହାକୁ ତୋଳି ଧରିଥିଲେ।ହୀରାକୁଦ ଡ୍ୟାମର ଜଳସ୍ତର ୬୧୦ ଫୁଟ ଡେଇଁ ସାରିଥିବା ବେଳେ ଆଗକୁ ବର୍ଷା ଜାରି ରହିଲେ ଆହୁରି ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ଜଣାପଡ଼ିଛି।

Exit mobile version