Site icon Ethara Sambhala

ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ସ୍ଥାନ ପାଇଛି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ଦାନି ଭିକ୍ଷୁକ ତୁଳା ମାଉସୀ। ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ଫୋଟ ଚିତ୍ରକୁ ସ୍ଥାନୀୟ ଅଞ୍ଚଳରେ ଢେର୍‌ ଚର୍ଚ୍ଚା ହେଉଛି। କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଅର୍ଥାତ ଜାନୁଆରୀ ମାସ ପେଜରେ ତାଙ୍କର ଫଟୋ ରହିଛି। ଏହି କ୍ୟାଲେଣ୍ଡରକୁ ଗତ ୬ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଯାହାକୁ ନେଇ ଦାନି ଭିକ୍ଷୁକ ତୁଳା ମାଉସୀ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ତାଙ୍କୁ ଏଥିପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସେ ଏବେ ମଧ୍ୟ ମନ୍ଦିରରେ ବସି ଭିକ୍ଷା ମାଗୁଛନ୍ତି ଓ ଫୁଲବାଣୀରେ ଏକ ଭିକାରୀ ଆଶ୍ରମ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସୂଚନାରୁ ପ୍ରକାଶ, ଭିକ୍ଷୁକ ତୁଳା ମାଉସୀ ଭିକ ମାଗି ଜୀବନ ବ୍ୟାପୀ ଯାହା ସଂଚୟ କରିଥିଲେ, ସେଥିରୁ ଏକ ଲକ୍ଷ ଟଙ୍କା ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ତାଙ୍କର ଏହି ମହାନତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଫୁଲବାଣୀ ଗସ୍ତରେ ଆସିଥିଲେ, ସେହି ସମୟରେ ଭରା ସଭାରେ ତୁଳା ମାଉସୀଙ୍କୁ ମଞ୍ଚକୁ ଡାକି ମୁଣ୍ଡିଆ ମାରି ପ୍ରଣାମ କରିଥିଲେ। ଏପରିକି ତାଙ୍କୁ ସମ୍ମାନିତ କରିଥିଲେ। ସେହି ସମୟରେ ତୁଳା ମାଉସୀଙ୍କୁ ମଞ୍ଚକୁ ନେବାରେ ସହଯୋଗ କରିଥିଲେ ବିଜେପିର ବରିଷ୍ଠ ନେତା ରମେଶ ଚନ୍ଦ୍ର ମହାନ୍ତି।

Exit mobile version