ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ଆନୁସଙ୍ଗିକ କାର୍ଯ୍ୟ ସରୁନଥିବାରୁ ଆଗେଇ ପାରୁନି ଗୁଣପୁର ବାଇପାସ୍ ରାସ୍ତାର ନବି କରଣ କାର୍ଯ୍ୟ। ୯ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ଯୋଜନା ରହିଥିବା ବେଳେ ଚୁକ୍ତି ସ୍ବାକ୍ଷର ର ଦୁଇମାସ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଆଶାନୁରୁପକ ଭାବେ ଆଗେଇ ପାରୁନି। ଏଯାଏଁ ପୁର୍ତ୍ତ ବିଭାଗର ଜମି ଚିହ୍ନଟ ପ୍ରକ୍ରିୟା ସମ୍ପୁର୍ଣ୍ଣ ହୋଇନଥିବା ବେଳେ ଯେତିକି ବି ହୋଇଛି ସେଥିରେ ବ୍ଯାପକ ତୃଟି ରହିଥିବା ଅଭିଯୋଗ ଆସିଛି। ଅପରପକ୍ଷେ ରାସ୍ତା ଦୁଇ କଡର ଗଛକଟା ସହ ବିଦ୍ଯୁତ ଖୁଣ୍ଟ ଓ ପାଣି ପାଇପ୍ ସ୍ଥାନାନ୍ତର କାର୍ଯ୍ଯ ମଧ୍ୟ ଏଯାଏଁ ଆରମ୍ଭ ହୋଇନି। ଯାହା ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି। ବାଇପାସ୍ ଛକଠାରୁ ପୁରୁଣା ଗୁଣପୁର ଦେଇ ବିକ୍ରମଛକ ଯାଏଁ ୩.୮ କିମି ରାସ୍ତା ରେ ବର୍ଦ୍ଧିତ ଟ୍ରାଫିକକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ଚାରି ଥାକିଆ ପାଇଁ ୧୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଟେଣ୍ଡର ଆହ୍ବାନ ହୋଇଥିଲା। ଆନ୍ଧ୍ରର ବିଆରସି କମ୍ପାନି ଏହି କାର୍ଯ୍ୟ ପାଇବା ପରେ ଗତ ଦୁଇମାସ ତଳେ ପୁର୍ତ୍ତ ବିଭାଗ ସହ ୧୧ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର ମଧ୍ୟ ହୋଇ ସାରିଲାଣି । କାର୍ଯ୍ୟ ଆରମ୍ଭ କରିବା ପାଇଁ କେତେକ ସ୍ଥାନରେ ମାଟିକାମ ଓ ଡ୍ରେନ୍ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିଲେ ମଧ୍ୟ ବିଶେଷ ଆଗକୁ ଯାଇପାରୁନି ଏହି ନିର୍ମାଣ କାର୍ଯ୍ୟ।
ଏହି ରାସ୍ତାର ବିକ୍ରମପୁର ଛକରୁ ପୁରୁଣା ଗୁଣପୁର ଯାଏଁ ପୁର୍ତ୍ତ ଜମି ଚିହ୍ନଟ ପ୍ରକ୍ରିୟା ସରିଥିଲେ ମଧ୍ୟ ପୁରୁଣା ଗୁଣପୁର ଛକରୁ ବାଇପାସ ଯାଏଁ ସରିନି। ଯାହାବି ସରିଛି ସେଥିରେ ଅନେକ ତୃଟି ରହିଥିବା ଅଭିଯୋଗ ହୋଇଛି। ପୁର୍ତ୍ତ ବିଭାଗର ନିଜଶ୍ବ ନଥିପତ୍ର ଆବଶ୍ଯକୀୟ ଅନୁସାରେ ନଥିବା ବେଳେ ରାଜଶ୍ବ ଓ ପୌର ବିଭାଗ ଦ୍ବାରା ଚିହ୍ନଟ ପ୍ରକ୍ରିୟା ହୋଇ ଥିବାରୁ କେଉଁଠି ଓସାରିଆ ତ ଆଉ କେଉଁଠି ଅଣ ଓସାରିଆ କରି ଚିହ୍ନଟ ହୋଇଛି। ଏମିତିକି ଜଭରଦଖଲ ଉଛେଦ କ୍ଷେତ୍ରରେ ମଧ୍ୟ କେତେକଙ୍କୁ ଅଣଦେଖା କରିବା ଉଦେଶ୍ୟରେ ଚିହ୍ନଟ ରେ ଜାଣିସୁଣି ତୃଟି କରା ଯାଇଥିବା ଅଭିଯୋଗ ହୋଇଛି। ସେହିପରି ରାସ୍ତାର ଦୁଇ ପାର୍ଶ୍ବରେ ମାଟି ଭରି କରିବା ପାଇଁ ଦୁଇମାସ ହେଲା ତହସିଲରେ ସଂପୃକ୍ତ ଠିକା କମ୍ପାନି ଦ୍ବାରା ଆବେଦନ କରାଯାଇଥିଲେ ମଧ୍ୟ ଅନୁମତି ମିଳିନଥିବା ଠିକା କମ୍ପାନି କର୍ତ୍ତୁପକ୍ଷ କହିଛନ୍ତି। ଗଛକଟା ପାଇଁ ରାଜଶ୍ବ ବାବଦରେ ୯ ଲକ୍ଷ ଟଙ୍କା ଜଙ୍ଗଲ ନିଗମ କୁ ପୁର୍ତ୍ତ ବିଭାଗ ପୈଠ କରିଥିବା ବେଳେ ଗଛକଟା ର ବ୍ଯୟ ଅଟକଳ ଏଯାଏଁ ଚୁଡାନ୍ତ ହୋଇନଥିବା ଜଣାପଡିଛି। ସେହିପରି ବିଦ୍ଯୁତ ଖୁଣ୍ଟ ଟାଟା କମ୍ପାନୀ ଦ୍ବାରା ସ୍ଥାନାନ୍ତର କରାଗଲେ ଅଧିକ ବ୍ଯୟ ହବାକୁ ଥିବାରୁ ୬% ଅର୍ଥ ଟାଟା କମ୍ପାନୀ କୁ ପୈଠ କରି ପୁର୍ତ୍ତ ବିଭାଗ ନିଜେ ଏହି ଖୁଣ୍ଟ ଗୁଡିକୁ ସ୍ଥାନାନ୍ତର ପାଇଁ ଯୋଜନା ରଖିଛି। ଯାହାକି ଏଯାଏଁ ଆରମ୍ଭ ହୋଇନି । ପାଣି ପାଇପ୍ ଗୁଡାକ ସ୍ଥାନାନ୍ତର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନି। ଏସବୁ ସରିବା ପରେ ଯାଇ ଏହି ୩.୮ କିମି ରାସ୍ତାରେ ଦୁଇପଟେ ୪ଫୁଟର ନାଳ ସହ ୧୫ ମିଟର ଓସାର ରାସ୍ତା, ଏକ ହଜାର ମିଟର ଓ୍ବାଲ, ମଝିରେ ଗୋଟିଏ ମିଟରର ଡିଭାଇଡର ଇତ୍ଯାଦି ନିର୍ମାଣ ହବ । ଏଣୁ ଏହି କାର୍ଯ୍ୟ ଆଉ ୭ ମାସ ମଧ୍ୟରେ ସରିବା ନେଇ ଅନିଶ୍ଚିତତା ଦେଖା ଦେଇଛି। ବିଶେଷ କରି ବିଭାଗ ମାନଙ୍କ ମଧ୍ୟରେ ସମନ୍ବୟ ଅଭାବ କାରଣରୁ ଏସବୁ ସମସ୍ଯା ହୋଇଛି। ଏହାବାଦ୍ ପୁରୁଣା ଗୁଣପୁର ଓ ବଳରାମ ନଗର ବାଇପାସ ଛକର ମଧ୍ୟ ନବିକରଣ ପାଇଁ ୩କୋଟି ଟଙ୍କାର ଟେଣ୍ଡର ସରି କାର୍ଯ୍ଯାଦେଶ ଦିଆ ସରିଥିବା ବେଳେ ମତିଲାଲନଗର ଓ ପୁରୁଣାଗୁଣପୁର ଛକ ମଝିରେ ହଳଦିଆ ନାଳ ଉପରେ ଆଉଏକ ନୂଆ ସେତୁ ନିର୍ମାଣ ପାଇଁ ୪କୋଟି ଟଙ୍କାର ଟେଣ୍ଡର ସରିଛି। ଚାରି ଥାକିଆ ରାସ୍ତା ସହ ସମାନ୍ତରାଳ ଭାବେ ଏସବୁ କାର୍ଯ୍ଯ ମଧ୍ୟ ଚାଲିବ। ଏଣୁ ଏହି ରାସ୍ତାର ଆନୁସଙ୍ଗିକ କାର୍ଯ୍ୟ ସରିବା ରେ ବିଳମ୍ବ ହେଉଥିବାରୁ ଅନ୍ଯ ସବୁ କାମ ମଧ୍ୟ ବିଳମ୍ବ ହେଉଛି। ଏଣୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ବିଭିନ୍ନ ବିଭାଗ ମଧ୍ୟରୁ କିଭଳି ସମନ୍ଵୟ ରହିବ ଓ ନିର୍ମାଣ କାର୍ଯ୍ଯ କିଭଳି ଶିଘ୍ର ହବ ସେ ଦିଗରେ ପଦକ୍ଷେପ ନବା ଜରୁରୀ ହୋଇ ପଡିଛି। ଏ ସମ୍ପର୍କରେ ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଜନ୍ତ୍ରୀ ରବି କୁମାର ସର୍ମା ଙ୍କୁ ପଚାରିବାରୁ ସେ କହିଛନ୍ତି ଗଛକଟା ପାଇଁ ନଥିପତ୍ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁଣ୍ଟ ସ୍ଥାନାନ୍ତର କାର୍ଯ୍ୟ ମଧ୍ୟ ଅତିଶିଘ୍ର ଆରମ୍ଭ ହବ। ପାଣି ପାଇପ୍ କମ୍ ସ୍ଥାନରେ ଥିଲେମଧ୍ଯ ସେମାନଙ୍କ ଠାରୁ ଆବଶ୍ୟକିୟ ସହଯୋଗ ମିଳୁନି। ତଥାପି ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବ।